କୋରାପୁଟ: ଜୟପୁର ଦଶହରା ପଡିଆ ଠାରେ ଏକ ଆଧ୍ୟାତ୍ମିକ ସଭାରେ ଉଦବୋଧନ ଦେଇଛନ୍ତି ପୁରୀ ଗୋବର୍ଦ୍ଧନ ପୀଠାଧୀଶ ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ । ଏହି ଅବସରରେ ଜୀବନ ପାଇଁ ଜୀବିକା ଏକ ଆଧାର ହେଉ, କିନ୍ତୁ କେବଳ ଜୀବିକା ନିର୍ବାହ କରିବା ଜୀବନର ଲକ୍ଷ୍ୟ ହୋଇ ନରହୁ ବୋଲି କହିଛନ୍ତି ଶଙ୍କରାଚାର୍ଯ୍ୟ । ରାୟଗଡା ଜିଲ୍ଲାର ମୁନିଗୁଡାରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ରେଳ ଯୋଗେ ଜୟପୁର ଯିବା ଅବସରରେ କୋରାପୁଟ ରେଳ ଷ୍ଟେସନରେ ଶଙ୍କରାଚାର୍ଯ୍ୟଙ୍କୁ ଶାବର ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ତରଫରୁ ସଂକୀର୍ତ୍ତନ ମଣ୍ଡଳୀ ସହିତ ଯାଇ ଭବ୍ୟ ସମ୍ବର୍ଦ୍ଧନା ଦିଆ କରାଯାଇଥିଲା ।
ରବିବାର ଅପରାହ୍ନରେ ଜୟପୁରଠାରେ ବିଧାୟକ ତାରାପ୍ରସାଦ ବାହିନୀପତି, ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ, ବିଜେପି ଦଳର ନେତା ଗୌତମ ସାମନ୍ତରାୟଙ୍କ ସମେତ ସହରର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କୁ ସ୍ବାଗତ କରିଥିଲେ । ସନାତନ ଧର୍ମକୁ ନେଇ ଭାରତ ବର୍ଷ ଜଗତଗୁରୁ ହେବ ଏବଂ ଏଥିପାଇଁ ଭାରତ ବର୍ଷକୁ ଏକ ହିନ୍ଦୁରାଷ୍ଟ୍ର ଭାବେ ପୁନଃ ପ୍ରତିଷ୍ଠିତ କରାଯିବା ପାଇଁ ଆରମ୍ଭ ହୋଇଥିବା ଅଭିଯାନରେ ଯୋଗଦେବା ପାଇଁ ସାଧାରଣ ଜନତା ବହୁମାତ୍ରାରେ ଆଗେଇ ଆସୁଥିବା ଶଙ୍କରାଚାର୍ଯ୍ୟ କହିଛନ୍ତି । ବେଦ ଉପନିଷଦର ଅଧ୍ୟୟନ କରି ସେଥିରେ ପ୍ରବର୍ତ୍ତିତ ମାର୍ଗକୁ ଅନୁସରଣ କରି ଏକ ଭଗବତ ଜୀବନ ଧାରଣ କରିବାର ଆବଶ୍ୟକତା ଉପରେ ଗୁରୁତ୍ବାରୋପ କରିଛନ୍ତି ଶଙ୍କରାଚାର୍ଯ୍ୟ । ଏହି ଅବସରରେ ତାଙ୍କ ସହିତ ଆସିଥିବା ବିଭିନ୍ନ ସାଧୁ ସନ୍ଥ ସନାତନ ଧର୍ମର ଇତିହାସ ଓ ବେଦର ତାତ୍ପର୍ଯ୍ୟ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ ।