କୋରାପୁଟ: ରଣକ୍ଷେତ୍ର ପାଲଟିଲା ଜନଶୁଣାଣି କେନ୍ଦ୍ର । ବିରୋଧ ପ୍ରଦର୍ଶନ କରି ଜନଶୁଣାଣୀରେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି ଅଞ୍ଚଳବାସୀ । ହିଣ୍ଡାଲକୋ ପକ୍ଷରୁ ଆଜି (ବୁଧବାର) ସେମିଳିଗୁଡା ବ୍ଲକ ଅନ୍ତର୍ଗତ କଙ୍କଡାଆମ୍ବ ଗାଁରେ ବକ୍ସାଇଟ ଉତ୍ତୋଳନ ପାଇଁ ପରିବେଶ ଜନ ଶୁଣାଣି ହେବାକୁ ରହିଥିବା ବେଳେ ରଣକ୍ଷେତ୍ର ପାଲଟିଲା ସଭାସ୍ଥଳ ।
ଖଣିଜ ସମ୍ପଦର ଭରପୁର କୋରାପୁଟ ଜିଲ୍ଲା । ମାଳି ପର୍ବତରୁ ଖଣି ଉତ୍ତୋଳନ କରିବା ପାଇଁ ଆଜିର ଜନ ଶୁଣାଣୀ ହେବା ପାଇଁ ଆୟୋଜନ ହୋଇଥିଲା । ଏହାକୁ ୧୮ଟି ଗ୍ରାମପଞ୍ଚାୟତରୁ ଆସିଥିବା ୭୦ ଖଣ୍ଡ ଗ୍ରାମବାସୀ ସଭାକ୍ଷେତ୍ରରେ ପଶି ତୁମୁଳ କାଣ୍ଡ ଭିଆଇଛନ୍ତି । ସଭା ଚାଲିଥିବାବେଳେ ହିଣ୍ଡାଲକୋ କମ୍ପାନୀର ବରିଷ୍ଠ ଅଧିକାରୀ, କୋରାପୁଟ ଏଡିଏମ, କୋରାପୁଟ ଉପଜିଲ୍ଲାପାଳ, ମୈତ୍ରୀ କମ୍ପାନୀର ବରିଷ୍ଠ କର୍ମଚାରୀଙ୍କ ଉପରକୁ ଜନସମୁଦ୍ର ମାଡିଯାଇଥିଲା । ହିଣ୍ଡାଲକୋ କମ୍ପାନୀର ଜଣେ ଵରିଷ୍ଠ ଅଧିକାରୀ ଗୁରୁତର ଭାବେ ଆହତ ହୋଇ ସେମିଳିଗୁଡା ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ୧୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିବା ବେଳେ ଆଜି ଜନଶୁଣାଣୀକୁ ବାତିଲ କରି ପ୍ରଶାସନିକ ଅଧିକାରୀ ଖାଲିହାତରେ ଫେରିଯିବାକୁ ବାଧ୍ୟ ହୋଇଥିଲେ ।