କୋରାପୁଟ: ମାଳି ପର୍ବତରୁ ଖଣି ଖନନ ପାଇଁ ରାଜ୍ୟ ପ୍ରଦୂଷଣ ବିଭାଗ ପକ୍ଷରୁ ପରିବେଶ ମଞ୍ଜୁରି ଜନ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ସେମିଳିଗୁଡା ବ୍ଲକର କଙ୍କଡାଆମ୍ବ ଠାରେ ଜନ ଶୁଣାଣି ଆୟୋଜିତ ହୋଇୟାଇଥିବା ବେଳେ ଜିଲ୍ଲା ଜଜ୍ ସତ୍ୟନାରାୟଣ ମିଶ୍ର, ଦିସାର ସଚିବ ସୁମନ ଜେନା, ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ,ଏସପି ତଥା ରାଜ୍ୟ ପ୍ରଦୂଷଣ ବିଭାଗ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ଖଣି ଖନନ ନେଇ ସପକ୍ଷ ଓ ବିପକ୍ଷ ବାଦି ନିର୍ଭୟରେ ନିଜର ମତ ରଖିଥିଲେ ସମସ୍ତେ ।
ଗତ ଥର ହୋଇଥିବା ଜନ ଶୁଣାଣିକୁ ବିରୋଧ କରି ଖଣି ବିପକ୍ଷବାଦୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହେବା ପରେ କୋର୍ଟଙ୍କ ନିର୍ଦେଶ କ୍ରମେ ଜିଲ୍ଲା ଜଜଙ୍କ ଉପସ୍ଥିତିରେ ଗତକାଲି ପୁଣିଥରେ ଜନ ଶୁଣାଣି ହୋଇଯାଇଥିଲା । ଜନ ଶୁଣାଣିକୁ ଶାନ୍ତି ଶୃଙ୍ଖଳାର କିପରି ଶେଷ ହେବ ସନେଇ ପୋଲିସ ଓ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।
ଏହି ଜନ ଶୁଣାଣିରେ ସେମିଳିଗୁଡା ତହସିଲର ଆଲିଗାଁ, କଙ୍କଡା ଆମ୍ବ , ସୋରିଷ ପଦର ଗ୍ରାମରେ ୨୬୮.୧୧ ହେକ୍ଟର ପରିମିତ ଜମିରେ ଗଚ୍ଛିତ ଥିବା ବକସାଇଟ ଖଣିରୁ ବାର୍ଷିକ ୦.୬ ନିୟୁତ ଟନ ବକସାଇଟ ଉତ୍ତୋଳନ ଜରିବା ଆଲୋଚନା ହୋଇଛି । ଖଣି ଖନନ ହେଲେ ଅଞ୍ଚଳର କଣ ସବୁ ବିକାଶ ହେବ ଓ ଲୋକଙ୍କ ଉପକାର କିପରି ହୋଇପାରିବ ସେ ସମ୍ପର୍କରେ ମତ ରଖିଥିଲେ ମେସର୍ସ ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ଅଧିକାରୀ । ଏହି ସମୟରେ ମାଳି ପର୍ବତ ସୁରକ୍ଷା ସମିତିର ସମର୍ଥକ ମାନେ ଖଣିରୁ ବକସାଇଟ ଉତ୍ତୋଳନକୁ ବିରୋଧ କରି ପ୍ରତିବାଦ କରୁଥିବା ଦୃଶ୍ୟ ସଭା ସ୍ଥଳରେ ଦେଖିବାକୁ ମିଳିଥିଲା ।