ଓଡିଶା

odisha

ETV Bharat / state

କଡା ସୁରକ୍ଷାରେ ହେଲା Mali Hills ବକ୍ସାଇଟ ଖନନ ଜନଶୁଣାଣୀ - ମାଳି ପର୍ବତ ବକ୍ସାଇଟ ଖନନ

ମାଳିପର୍ବତର ବକ୍ସାଇଟ ଖନନ (Mali Hills bauxite mining) ନେଇ ହେଲା ଜନଶୁଣାଣୀ । କଡା ସୁରକ୍ଷା ମଧ୍ୟରେ ହୋଇଛି ଜନଶୁଣାଣୀ (Public hearing)। ଦାବି ପୂରଣ ନହେଲେ ସପକ୍ଷବାଦୀ ମଧ୍ୟ ଖଣି ଖନନକୁ ବିରୋଧ କରିବେ ବୋଲି ଚେତାବନୀ ଦେଇଛନ୍ତି । ଅଧିକ ପଢନ୍ତୁ

Public hearing meeting
କଡା ସୁରକ୍ଷା ମଧ୍ୟରେ ହେଲା ମାଳି ପର୍ବତ ବକ୍ସାଇଟ ଖନନ ନେଇ ଜନଶୁଣାଣୀ

By

Published : Nov 22, 2021, 7:57 PM IST

କୋରାପୁଟ: ମାଳିପର୍ବତର ବକ୍ସାଇଟ ଖନନ (Mali Hills bauxite mining) ନେଇ ହେଲା ଜନଶୁଣାଣୀ । କଡା ସୁରକ୍ଷା ମଧ୍ୟରେ ହୋଇଛି ଜନଶୁଣାଣୀ । ଅଞ୍ଚଳବାସୀଙ୍କ ମୌଳିକ ସୁବିଧା ସହ ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ପାଇଁ ଦୃଢ ଦାବି ରଖିଲେ ଗ୍ରମାବାସୀ । କମ୍ପାନୀ କର୍ତ୍ତୃପକ୍ଷ ଓ ପ୍ରଶାସନ ଏବଂ ଗ୍ରାମବାସୀ ଏହି ଜନ ଶୁଣାଣୀରେ ସାମିଲ ହୋଇଥିଲେ।

କଡା ସୁରକ୍ଷା ମଧ୍ୟରେ ହେଲା ମାଳି ପର୍ବତ ବକ୍ସାଇଟ ଖନନ ନେଇ ଜନଶୁଣାଣୀ

ସେମିଳିଗୁଡା ବ୍ଲକ ଅନ୍ତର୍ଗତ କଙ୍କଡାମ୍ବ ଗାଁରେ ବକ୍ସାଇଟ ଉତ୍ତୋଳନ (bauxite mining) ନିମନ୍ତେ ହିଣ୍ଡାଲକୋ ପକ୍ଷରୁ ପରିବେଶ ପାଇଁ ଜନଶୁଣାଣି କଡା ସୁରକ୍ଷା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଗତ ସେପ୍ଟେମ୍ବର 21 ତାରିଖରେ ଅନୁଷ୍ଠିତ ଜନଶୁଣାଣୀ ସମୟରେ ସଭାକ୍ଷେତ୍ର ରଣକ୍ଷେତ୍ର ପାଲଟିଥିଲା ଓ ଜନଶୁଣାଣୀ ସମ୍ଭବ ହୋଇପାରିନଥିଲା । ଗତ ଥରର ଅନୁଭୂତିକୁ ଆଖିରେ ରଖି ସୋମବାର କଙ୍କଡାମ୍ବ ଗ୍ରାମ ନିକଟ ଜାତୀୟ ରାଜପଥ ନିକଟରୁ ସଭାକ୍ଷେତ୍ର ପର୍ଯ୍ୟନ୍ତ ପୋଲିସ ଛାଉଣୀ ହୋଇ ରହିଥିବା ବେଳେ ପାହାଡ ଉପରୁ ବିକ୍ଷୋଭକାରୀଙ୍କ ସମ୍ଭାବ୍ୟ ପ୍ରବେଶକୁ ରୋକିବା ପାଇଁ ସମ୍ପୂର୍ଣ୍ଣ ଅଞ୍ଚଳକୁ କଣ୍ଟା ତାରବାଡ଼ ଯୋଗେ ଘେରାଇ ଦେବା ସହିତ ପାହାଡ଼ ଗୁଡିକ ଉପରେ ପ୍ରଶାସନ ତରଫରୁ ଡ୍ରୋନ କ୍ୟାମେରା ମାଧ୍ୟମରେ ନଜର ରଖିଥିଲା ।

ଅଭୂତପୂର୍ବ ସୁରକ୍ଷା ବଳୟ ମଧ୍ୟ ଦେଇ ସଭାସ୍ଥଳକୁ ଆସିଥିବା 18ଟି ଗ୍ରାମର ପ୍ରାୟ 300 ଜଣ ଗ୍ରାମବାସୀ ହିଣ୍ଡାଲକୋ କମ୍ପାନୀ ଦ୍ବାରା ପ୍ରସ୍ତାବିତ ଖଣି ଖନନକୁ ସମ୍ପୂର୍ଣ୍ଣ ରୂପେ ସମର୍ଥନ କରିଛନ୍ତି । ସମସ୍ତ ସୁରକ୍ଷା ବଳୟର ପରିସୀମା ବାହାରେ ତଥା ଜନ ଶୁଣାଣୀ ମଞ୍ଚଠାରୁ ବହୁ ଦୂରରେ ଜାତୀୟ ରାଜପଥ ଉପରେ ଖଣି ଖନନକୁ ବିରୋଧ କରି ମହିଳାମାନେ ବିରୋଧ ଜାରୀ ରଖିଛନ୍ତି।

ହିଣ୍ଡାଲକୋ ସପକ୍ଷବାଦୀ ଖଣି ଖନନକୁ ସମର୍ଥନ କରିବା ପାଇଁ ଅଞ୍ଚଳରେ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନର ସୁବିଧା, ବେକାର ଯୁବକ ଯୁବତୀଙ୍କୁ ଖଣିରେ ନିଯୁକ୍ତି ଭଳି ସର୍ତ ରଖିଛନ୍ତି । କମ୍ପାନୀ କର୍ତ୍ତୃପକ୍ଷ ସମସ୍ତ ସର୍ତକୁ ପାଳନ କରିବାର ପ୍ରତିଶ୍ରୁତି ଦେଇଥିଲେ । ଏପରିକି ପାହାଡ ପର୍ବତରୁ ଝରି ଆସୁଥିବା ଝରଣାର ପାଣିକୁ କେବଳ ଚାଷ କାମରେ ଲଗାଇବା ପାଇଁ ଗ୍ରାମବାସୀ କରିଥିବା ଦାବିକୁ ଗ୍ରହଣ କରିଛନ୍ତି କମ୍ପାନୀ କର୍ତ୍ତୃପକ୍ଷ । ସେହି ପାଣିକୁ ଖଣି କାର୍ଯ୍ୟରେ ବ୍ୟବହାର କରାଯିବ ନାହିଁ ବୋଲି କମ୍ପାନୀର ଖଣି ପରିଚାଳନା ଅଧିକାରୀ ମନୋଜ କୁମାର ନାୟକ ପ୍ରତିଶ୍ରୁତି ଦେଇଛନ୍ତି ।

ତେବେ ଆଜି କମ୍ପାନୀ ଦେଇଥିବା ପ୍ରତିଶ୍ରୁତି ପୂରଣ ନକଲେ ସପକ୍ଷବାଦୀଙ୍କ ଦ୍ଵାରା ମଧ୍ୟ ଖଣି ଖନନକୁ ତୀବ୍ର ବିରୋଧ କରାଯିବ ବୋଲି କଙ୍କଡାମ୍ବ ନିବାସୀ ଜଗବନ୍ଧୁ ସାକିୟା ଚେତାବନୀ ଦେଇଛନ୍ତି । ଆଜିର ଏହି ଜନଶୁଣାଣୀରେ କୋରାପୁଟର ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ ଏବଂପ୍ରଦୂଷଣ ବୋର୍ଡ ର ଅଧିକାରୀ ପ୍ରଶାନ୍ତ କରଙ୍କ ସମେତ ହିଣ୍ଡାଲକୋ କମ୍ପାନୀର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ଶାନ୍ତି ଶୃଙ୍ଖଳାରେ ଜନଶୁଣାଣୀକୁ ଅନୁଷ୍ଠିତ କରିବା ପାଇଁ 22 ପ୍ଲାଟୁନ ପୋଲିସ ମୁତୟନ କରାଯାଇଥିଲା ।

କୋରାପୁଟରୁ ସିଏଚ ଶାନ୍ତାକାର,ଇଟିଭି ଭାରତ

ABOUT THE AUTHOR

...view details