କୋରାପୁଟ: ଗତ ଚାରିଦିନ ଧରି କୋରାପୁଟସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲକୁ ବିଭିନ୍ନ ପ୍ରକାରର ଅସ୍ତ୍ରୋପଚାର କରାଇବା ପାଇଁ ଆସିଥିବା ରୋଗୀ ହତାଶ ହୋଇ ବାରଣ୍ଡାରେ ବୁଲୁଛନ୍ତି । ଡାକ୍ତରମାନେ ଅପରେସନ ତାରିଖ ଘୁଞ୍ଚାଇ ଚାଲି ଥିବାବେଳେ ହସ୍ପିଟାଲ ପ୍ରଶାସନ ରୋଗୀଙ୍କ ଦୁଃଖ ଶୁଣୁନଥିବା ଅଭିଯୋଗ ହୋଇଛି ।
ଦରମାରେ ଅନିୟମିତତା ଓ ଦରମାରୁ କଟା ଯାଉଥିବା ଇପିଏଫର ବିବରଣୀ ନ ମିଳିବା ପ୍ରଭୃତି ଅଭିଯୋଗ ଆଣି ହସ୍ପିଟାଲ ଏବଂ ମେଡିକାଲ କଲେଜର ସିକ୍ୟୁରିଟି ଗାର୍ଡ ଓ ସଫେଇ କର୍ମଚାରୀ ହସ୍ପିଟାଲ ସମ୍ମୁଖରେ ଧାରଣାରେ ବସି କାମ ବନ୍ଦ କରିଥିବା ଦେଖିବାକୁ ମିଳିଛି । ଫଳରେ ହସ୍ପିଟାଲ ବାହାର ପଟେ ଯେମିତି ଅଳିଆ ଆବର୍ଜନା ପଡ଼ି ରହିଛି ହସ୍ପିଟାଲ ଭିତରେ ମଧ୍ୟ ସେହିପରି ଅସ୍ୱାସ୍ଥ୍ୟକର ପରିସ୍ଥିତି ସୃଷ୍ଟି ହୋଇଛି । ଏପରିକି ଅପରେସନ ଥିଏଟର ସଫା ହେଉନଥିବା ଯୋଗୁଁ ଗତ ଚାରିଦିନ ହେବ କୌଣସି ଅସ୍ତ୍ରୋପଚାର ହୋଇପାରିନଥିବା ଡାକ୍ତର ସୂଚନା ଦେଇଛନ୍ତି । ତେବେ ରୋଗର ଯନ୍ତ୍ରଣା ସାଙ୍ଗକୁ ହସ୍ପିଟାଲର ଚରମ ଅବହେଳାରେ ଅତିଷ୍ଠ ହୋଇ ରୋଗୀମାନେ ଆଜି ଡାକ୍ତରଙ୍କୁ ଘେରିଛନ୍ତି ।