କୋରାପୁଟ: ମୋ ଛାତ୍ରଛାତ୍ରୀ ହିଁ ମୋ ପାଇଁ ଆଖି । ପିଲାଟି ବେଳୁ ରୋଗାକ୍ରାନ୍ତ ହୋଇ ଦୃଷ୍ଟିବାଧିତ ହୋଇଥିଲେ ହେଁ ନିଜ ଦୃଢ ସଂକଳ୍ପ ଓ ଅଧ୍ୟବସାୟ ବଳରେ ଆଜି କୋରାପୁଟ ସରକାରୀ ମହାବିଦ୍ୟାଳୟର ଇତିହାସ ବିଭାଗରେ ଅଧ୍ୟାପନା କରୁଥିବା ପ୍ରଫେସର କାମାକ୍ଷା ପ୍ରସାଦ ଦାସଙ୍କ ଏହି ଭାବନା ହିଁ ତାଙ୍କ ଛାତ୍ରବତ୍ସଳତାର ନିଦର୍ଶନ ସାଜିଛି ।
ମହାବିଦ୍ୟାଳୟରେ ବ୍ରେଲପୁସ୍ତକକୁ ଆଧାର କରି, ପୂର୍ବରୁ ରେକର୍ଡ କରାଯାଇଥିବା ବିଷୟଗତ ଜ୍ଞାନକୁ ପାଥେୟ କରି ପ୍ରଫେସର ଦାସ ଶ୍ରେଣୀଗୃହରେ ସମସ୍ତ ଛାତ୍ରଛାତ୍ରୀଙ୍କ ପ୍ରିୟ ଭାଜନ ହୋଇପାରିଛନ୍ତି । ଏବେ କୋରୋନା ଜନିତ ପ୍ରତିବନ୍ଧକକୁ ଆଖିଆଗରେ ରଖି ଛାତ୍ରଛାତ୍ରୀଙ୍କ ପାଇଁ ମହାବିଦ୍ୟାଳୟକୁ ଆସିବା ମନା କରାଯାଇଛି । କିନ୍ତୁ ଏବେବି ପ୍ରଫେସର ଦାସ ହାରିଯାଇନାହାନ୍ତି ।
ଅନ୍ୟ ଶିକ୍ଷକଙ୍କ ଭଳି ସେ ମଧ୍ୟ ନିଜ ଛାତ୍ରଛାତ୍ରୀଙ୍କୁ ଅନଲାଇନରେ କ୍ଲାସ କରୁଛନ୍ତି । ଖାଲି ନିଜ ଛାତ୍ରଛାତ୍ରୀ ନୁହେଁ ଇତିହାସକୁ ସରସ ସୁନ୍ଦର ଭାବେ ବୁଝିବା ପାଇଁ ଆଗ୍ରହ ଦେଖାଉଥିବା ରାଜ୍ୟର ବିଭିନ୍ନ ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ତଥା ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କୁ ମଧ୍ୟ ପ୍ରତିଦିନ ଅନଲାଇନ କ୍ଳାସ କରୁଛନ୍ତି ସେ ।