କୋରାପୁଟ: ଚଳିତ ବର୍ଷର ରଥଯାତ୍ରାରେ ଶାବର ଶ୍ରୀକ୍ଷେତ୍ରରେ ପ୍ରଥମ ଥର ପାଇଁ ତିନୋଟି ରଥ ଗଡ଼ିବାକୁ ଯାଉଛି । ଏଣୁ ପ୍ରସ୍ତୁତି ପର୍ବ ବହୁ ଆଗରୁ ଆରମ୍ଭ ହୋଇଯାଇଛି । ଆଜି ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ବୈଠକରେ ତିନି ରଥ ପାଇଁ ଡାହୁକ ଚୟନ କରାଯିବା ସହ ଛେରାପହଁରା କାର୍ଯ୍ୟ ପାଇଁ ଦାୟିତ୍ବ ବଣ୍ଟାଯାଇଛି ।
ପ୍ରତିଟି ରଥରେ ସେବା ଯୋଗାଇବା ପାଇଁ ପୃଥକ ପୃଥକ ସେବାୟତ, କୀର୍ତନମଣ୍ଡଳୀ ଓ ଡାହୁକ ରହିବା ନେଇ ବୈଠକରେ ନିଷ୍ପତ୍ତି ନିଆଗଲା । ଅତିରିକ୍ତ ଜିଲ୍ଲାପାଳ ଦେବେନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ରଥ ଗୁଡିକରେ ହେବାକୁ ଥିବା ଛେରାପହଁରା କିଏ କରିବେ ସେନେଇ ମଧ୍ୟ ଘୋଷଣା ହୋଇଛି ।
ପ୍ରତିବର୍ଷ ରଥଯାତ୍ରାରେ ଚତୁର୍ଧାମୂର୍ତ୍ତିଙ୍କୁ ନେଇ ବଡ଼ଦାଣ୍ଡରେ ଠିଆ ହେଉଥିବା ଏକକ ରଥରେ କୁମ୍ଭା ଗାଁର ଶବର ରାଜା ଦାସିଆ ନାୟକ ଛେରାପହଁରା କରୁଥିଲେ । କିନ୍ତୁ ଏଥର ତିନୋଟି ରଥରେ ଛେରାପହଁରା କରିବା ପାଇଁ ସେ ଅସମର୍ଥତା ପ୍ରକାଶ କରିଛନ୍ତି । ତେଣୁ ତାଙ୍କୁ କେବଳ ଜଗନ୍ନାଥଙ୍କ ରଥରେ ଛେରାପହଁରା କରିବାର ଦାୟିତ୍ୱ ଦେଇ ବଳଭଦ୍ରଙ୍କ ରଥରେ ଜିଲ୍ଲାପାଳ ଏବଂ ସୁଭଦ୍ରାଙ୍କ ରଥରେ ଆରକ୍ଷୀ ଅଧିକ୍ଷକ ଛେରାପହଁରା କରିବେ ବୋଲି ଚୂଡ଼ାନ୍ତ ହୋଇଛି ।