କୋରାପୁଟ: ଆସନ୍ତା ୧୬ ତାରିଖରେ ଶାବର ଶ୍ରୀକ୍ଷେତ୍ର ତଥା କୋରାପୁଟ ଜଗନ୍ନାଥ ମନ୍ଦିରର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳନ କରାଯିବ । ଏନେଇ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଗୋଟିଏ ଦିନ ପୂର୍ବରୁ ଅର୍ଥାତ ଆସନ୍ତାକାଲି ଅଙ୍କୁରାରୋପଣ ଓ ମହାଯଜ୍ଞ ପାଇଁ ପବିତ୍ର କଳସ ଯାତ୍ରା ଅନୁଷ୍ଠିତ ହେବ । ଏହାପରେ 16 ତାରିଖ ଦିନ ଶ୍ରୀକ୍ଷେତ୍ର ପୁରୀରୁ ପଣ୍ଡିତ ରଥଶର୍ମାଙ୍କ ଅଧ୍ୟକ୍ଷତାରେ ଆସିଥିବା ପଣ୍ଡିତମାନଙ୍କ ଦ୍ୱାରା ପଞ୍ଚ ଦିବସୀୟ ମହାଯଜ୍ଞର ଶୁଭାରମ୍ଭ ହେବ । ଏଥିସହ ସୁବର୍ଣ୍ଣ ଜୟନ୍ତୀ ଉତ୍ସବର ଶୁଭ ଉଦଘାଟନ କରାଯିବ । ମନ୍ଦିରର ସମ୍ପାଦକ ଜଗବନ୍ଧୁ ସାମଲ ଏନେଇ ସୂଚନା ଦେଇଛନ୍ତି ।
ସେହିପରି ଆଦିବାସୀ ଓ ଜଗନ୍ନାଥ ଚେତନା ବିଷୟକୁ ନେଇ 17 ଓ 18 ତାରିଖରେ ଆୟୋଜିତ ହେଉଥିବା ଆଲୋଚନା ଚକ୍ର ଅନୁଷ୍ଠିତ ହେବ । ଏହି ଦୁଇ ଦିନିଆ ଆଲୋଚନା ଚକ୍ରରେ ଜଗନ୍ନାଥ ସଂସ୍କୃତିର ବହୁ ବିଦ୍ୱାନ୍ ଦେଶର ବିଭିନ୍ନ ସ୍ଥାନରୁ ଯୋଗ ଦେବେ । ଗତ ଅକ୍ଟୋବର ମାସରୁ ଆରମ୍ଭ ହୋଇଥିବା ଶ୍ରୀଜଗନ୍ନାଥ ମନ୍ତ୍ରଜପ ଓ ଲିଖନ ଏକ କୋଟିର ଇପ୍ସିତ ଲକ୍ଷ୍ୟ ହାସଲ କରିପାରିଥିବା ଏହି କାର୍ଯ୍ୟକ୍ରମର ସଂଯୋଜକ ଦିଲୀପ ପାଢ଼ୀ ଜଣାଇଛନ୍ତି । ତେବେ ଜଗନ୍ନାଥ ମନ୍ଦିର ତଥା ଆଦିବାସୀ ସଂଗ୍ରହାଳୟକୁ ଉତ୍ସବ ନିମନ୍ତେ ସଜ୍ଜିତ କରାଯାଉଥିବା ସମୟରେ କୁମ୍ଭାର ଲିମକା ଗ୍ରାମର କୁମ୍ଭାରମାନେ ଏହି ମହାଯଜ୍ଞରେ ଆବଶ୍ୟକ ହେଉଥିବା ମାଟିର ଦୀପ , ରୁଖା, ହାଣ୍ଡି ପ୍ରଭୁତି ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ତେବେ ଦିବ୍ୟ କାର୍ଯ୍ୟରେ ନିୟୋଜିତ ହେବାର ସୁଯୋଗ ପାଇ କୃତକୃତ୍ୟ ହୋଇ ଉଠିଥିବା କୁମ୍ଭାର ଭଗବାନ ନାୟକ ଜଣାଇଛନ୍ତି ।
ସୂଚନା ଯୋଗ୍ୟ ଯେ, ଜଗନ୍ନାଥ ଚେତନା ଓ ସଂସ୍କୃତିର ବାର୍ତ୍ତାବହ ହେଉଛି କୋରାପୁଟର ଶାବର ଶ୍ରୀକ୍ଷେତ୍ର । ଏହି ଜଗନ୍ନାଥ ମନ୍ଦିରଟି 1972 ମସିହାରେ ପ୍ରତିଷ୍ଠା ହୋଇଥିବା ବେଳେ ଚଳିତ ବର୍ଷ ଏହାର ସୁବର୍ଣ୍ଣ ଜୟନ୍ତୀ ପାଳିତ ହେଉଛି । ଆଦିବାସୀଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥ , ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରା ମୁଖ୍ୟ ମନ୍ଦିରରେ ପୂଜା ପାଉଥିବା ବେଳେ ଏଠାରେ ଥିବା ମୁଖ୍ୟ ମନ୍ଦିର ବେଢ଼ା, ଭାରତ ଦର୍ଶନ ଓ ଉତ୍କଳ ଦର୍ଶନ ବେଢ଼ା ଭକ୍ତଙ୍କ ମଧ୍ୟରେ ଶ୍ରୀଜଗନ୍ନାଥଙ୍କ ଜଗତ ବ୍ୟାପି ଉପସ୍ଥିତିର ଭାବ ପ୍ରକାଶ କରିଥାଏ ।