କୋରାପୁଟ: ବଣ ପାହାଡର ପ୍ରାକୃତିକ ସୌନ୍ଦର୍ଯ୍ୟରେ ଆଚ୍ଛାଦିତ କୋରାପୁଟ ସହର । ପାହାଡିଆ ଉଠାଣି- ଗଡାଣି ଭରା ପ୍ରାକୃତିକ ପରିବେଶ ଗୋଟିଏ ପଟେ ସହର ଶୋଭାକୁ ବୃଦ୍ଧି କରାଉଥିବା ବେଳେ ବର୍ଷା ଦିନେ ଉଚ୍ଚ ଅଞ୍ଚଳରୁ ଭାସି ଆସୁଥିବା ଆବର୍ଜନା ଜଳ କୋଲାବ ଜଳ ଭଣ୍ଡାରକୁ ଦୂଷିତ କରୁଛି । ତେଣୁ ଜଳ ଭଣ୍ଡାରକୁ ଆବର୍ଜନାମୁକ୍ତ କରିବା ସହ ବର୍ଷା ଦିନ ପୂର୍ବରୁ ସହରକୁ ସ୍ବଚ୍ଛ ଓ ଆବର୍ଜନା ମୁକ୍ତ କରିବା ପାଇଁ ପୌର ପରିଷଦ ଆରମ୍ଭ କରିଛି ପ୍ରାକ ସୌସୁମୀ ସଫେଇ କାର୍ଯ୍ୟକ୍ରମ ।
ଏନେଇ ସହରରେ ଥିବା 21ଟି ୱାର୍ଡରେ 140 ଜଣ ସଫେଇ କର୍ମଚାରୀ ରାସ୍ତାଘାଟ ଓ ନାଳ ନର୍ଦମା ସଫା କରୁଛନ୍ତି । ଅନ୍ୟପେଟେ ଅନେକ ବର୍ଷ ପର୍ଯ୍ୟନ୍ତ ଠେଲା ଗାଡ଼ିରେ ସଂଗୃହିତ ଅଳିଆକୁ ଆଣି ସହର ବାହାରେ ଏକାଠି ରଖିବାର ପ୍ରକ୍ରିୟାକୁ ବାଦ ଦିଆଯାଇଖଥିବା ବେଳେ କର୍ମଚାରୀଙ୍କ ସହିତ ଛୋଟ ଭ୍ୟାନ ଓ ଟ୍ରାକ୍ଟର ବ୍ୟବସ୍ଥା ହୋଇଛି । ଯାହା ସଫେଇ କାମକୁ ତ୍ବାରାନିତ କରିବା ସହ କର୍ମଚାରୀଙ୍କ ବୋଝ ଅନେକାଂଶରେ କମ କରିଛି । ସକାଳ 6ଟା ବେଳକୁ ସମସ୍ତ ସଫେଇ କର୍ମଚାରୀ ଓ ଛୋଟ ବାହନ ଗୁଡିକ ପୌରପରିଷଦର କାର୍ଯ୍ୟାଳୟ ନିକଟରେ ଏକତ୍ରିତ ହେବା ପରେ ସେମାନଙ୍କୁ ସେମାନଙ୍କ କାର୍ଯ୍ୟ ବଣ୍ଟନ କରିଦିଆଯାଉଛି । ନିର୍ଦ୍ଧାରିତ ସାହି ମଧ୍ୟକୁ ଯିବା ପରେ ସଫେଇ କର୍ମଚାରୀ ହ୍ବିସିଲ ବଜାଇବା ମାତ୍ରେ ପୂର୍ବରୁ ପ୍ରସ୍ତୁତ ହୋଇଥିବା ଜନସାଧାରଣ ଘରୁ ଅଳିଆ ଆଣି ଗାଡ଼ିରେ ପକାଇଦେଉଛନ୍ତି ।