କୋରାପୁଟ:ପ୍ରତ୍ୟେକ ମହିଳା ଜଣେ ଜଣେ ସଫଳ ଉଦ୍ୟୋଗୀ ହୋଇପାରିବେ । ଏହି ବିଶ୍ବାସ ନେଇ ଜିଲ୍ଲାରେ ଚାଷୀଙ୍କ ସହ କାର୍ଯ୍ୟ କରୁଥିବା ସ୍ବେଚ୍ଛାସେବୀ ସଂଗଠନ 'ପ୍ରଗତି' ଦ୍ବାରା ଆର୍ଥିକ ଭାବେ ଅନଗ୍ରସର ଥିବା ମହିଳାଙ୍କୁ ନେଇ ବିଭିନ୍ନ ଗ୍ରାମରେ ମହିଳା ଉତ୍ପାଦକ କମ୍ପାନୀ ଗଠନ କରାଯାଇଛି । କୋରାପୁଟ , ନନ୍ଦପୁର, ଜୟପୁର, ବୋରିଗୁମ୍ମା, କୋଟପାଡ ଓ ଦଶମନ୍ତପୁର ବ୍ଲକର ଏହି ସବୁ ଗ୍ରାମରେ ଉତ୍ପାଦକ କମ୍ପାନୀ ଆରମ୍ଭ ହୋଇଛି ।
ତେବେ ଚଳିତ ବର୍ଷ ଏହି ମହିଳା ସଂଗଠନ ଗୁଡିକୁ 1.5 କୋଟି ଟଙ୍କାର ସହଯୋଗ ରାଶି ପ୍ରଦାନ କରିବା ପାଇଁ ଲକ୍ଷ୍ୟ ରଖିଥିବା ପ୍ରଗତିର ବରିଷ୍ଠ କର୍ମକର୍ତ୍ତା ଲୁନା ପଣ୍ଡା ସୂଚନା ଦେଇଛନ୍ତି । ସଂସ୍ଥା ଦ୍ବାରା ଏପର୍ଯ୍ୟନ୍ତ କୋଟପାଡ ବ୍ଲକର 300 ଜଣ ମହିଳାଙ୍କୁ ନେଇ ଗଠିତ ହୋଇଥିବା ବିଭିନ୍ନ ଉତ୍ପାଦକ କମ୍ପାନୀକୁ ମୋଟ 50 ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ଗତକାଲି ବୋରିଗୁମ୍ମାର ତିନୋଟି ମହିଳା ଉତ୍ପାଦକ କମ୍ପାନୀକୁ ମୋଟ 12 ଲକ୍ଷ 30 ହଜାର ଟଙ୍କାର ସହଯୋଗ ରାଶି ପ୍ରଦାନ କରାଯାଇଛି । ଏହି ସହଯୋଗ ରାଶିକୁ ମହିଳା ଦଳର ମୂଳଧନ ପାଣ୍ଠି ଭାବେ ଗ୍ରହଣ କରି ମହିଳା ସଦସ୍ୟଙ୍କୁ ସେମାନଙ୍କ ଦ୍ବାରା ଆରମ୍ଭ କରାଯାଉଥିବା ବିଭିନ୍ନ ଛୋଟ ଛୋଟ ବ୍ୟବସାୟ କରିବା ପାଇଁ ଋଣ ପ୍ରଦାନ କରାଯାଇଛି।