କୋରାପୁଟ:ଚିନ୍ତାରେ ଜିଲ୍ଲାର ଆଳୁଚାଷୀ ( Potato farmers of Koraput worried) । ଚଳିତ ବର୍ଷ ଖରିଫ ଋତୁରେ ଆଳୁ ଚାଷ କରିବା ପାଇଁ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ଆଳୁ ବିହନ ବିଳମ୍ବରେ ପହଞ୍ଚିଛି । ଏହା ସହ ଅନିୟମିତ ବର୍ଷା (Irregular rain impact on Potato cultivation) ଜିଲ୍ଲାର ଆଳୁ ଉତ୍ପାଦନ ଉପରେ ପ୍ରଭାବ ପକାଇଛି ।
ଜିଲ୍ଲାରେ ବହୁ ବର୍ଷ ଧରି ବିଭିନ୍ନ କିସମର ଆଳୁ ବିହନ ଲଗାଇ ଚାଷୀ ବ୍ୟବସାୟ କରିଆସିଛନ୍ତି । ଏ ନେଇ ସେମିଳିଗୁଡା ବ୍ଲକ ଅଞ୍ଚଳରେ ଗତ ଅନେକ ବର୍ଷ ଧରି ଗୁଣ୍ଠାପୁଟର ଆଳୁ ଚାଷ କରିଆସୁଥିବା ଚାଷୀ ଖଗପତି ହନ୍ତାଳ କହିଛନ୍ତି, "କେତେବେଳେ ଦେଶୀ ଆଳୁ ତ ଆଉ କେତେବେଳେ ନାଲି ଆଳୁ ଉତ୍ପାଦନ କରି ବଜାରରେ ନିଜ ସ୍ଥିତିକୁ ସୁଦୃଢ କରିବା ପାଇଁ ଚେଷ୍ଟା କରଆସିଛି । କିନ୍ତୁ ଆଶାନୁରୂପ ଭାବେ ଉତ୍ପାଦନ ହୋଇପାରୁନଥିବା ଯୋଗୁଁ ସରକାରୀ ଓ ବେସରକାରୀ ଯୋଜନାରେ ଉନ୍ନତ କିସମର ବିହନ ଲଗାଇ ଲାଭବାନ ହେବା ପାଇଁ ପ୍ରୟାସ କରୁଛି ।"
ବିଳମ୍ବରେ ପହଞ୍ଚିଥିବା ସରକାରୀ ବିହନ ସାଙ୍ଗକୁ ଚଳିତ ବର୍ଷ କୋରାପୁଟ ଫାର୍ମ ଆସୋସିଏସନ (KFA)ସହଯୋଗରେ କୁକରି ଜ୍ୟୋତି ଓ ଅନ୍ୟାନ୍ୟ ବିହନ ଆଣି ସେମିଳିଗୁଡା ଓ କୋରାପୁଟ ବ୍ଲକର ଚାଷୀ ଆଳୁ ଚାଷ କରିଥିବା କେଏଫଏର ସମ୍ପାଦକ ଶରତ ପଟ୍ଟନାୟକ କହିଛନ୍ତି । ଇଣ୍ଟନ୍ୟାସନାଲ ପୋଟାଟୋ ସେଣ୍ଟରର 'ସ୍ମଲ ଫାର୍ମ ଲାର୍ଜ ଫାର୍ମିଙ୍ଗ' ଯୋଜନାରେ ଏହି ଚାଷୀଙ୍କୁ ରିହାତି ଦରରେ ଉନ୍ନତ ମାନର ବିହନ ଯୋଗାଇ ଦିଆଯାଇଛି ବୋଲି ଏହି ସଂଗଠନର କର୍ମକର୍ତ୍ତା ରଞ୍ଜନ କୁମାର ସାହୁ କହିଛନ୍ତି ।