କୋରାପୁଟ: ନିକଟରେ କୋରାପୁଟରେ କଫି ସେଣ୍ଟେରର ଲୋକାର୍ପଣ ହୋଇଥିଲା । ଯାହାର ଚାହିଦା ଏବେ ବଢି ବଢି ଚାଲିଛି । ମାତ୍ର କିଛି ଦିନ ମଧ୍ୟରେ ଲୋକଙ୍କ ଦ୍ବାରା ବହୁମାତ୍ରାରେ ଆଦୃତ ହୋଇପାରିଛି ଏହି କଫି।
ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ କଫି ପ୍ରେମୀ କୋରାପୁଟ କଫିକୁ କୋରାପୁଟ ଓ ଭୁବନେଶ୍ବରରେ ଟିଡିସିସିର କାଉଣ୍ଟରରେ ପାଉଥିବା ବେଳେ ସାରା ଦେଶରେ ଅନଲାଇନ ବ୍ୟବସାୟ ମାଧ୍ୟମରେ ମଧ୍ୟ ଏହା ଲୋକଙ୍କ ଘରେ ପହଞ୍ଚି ପାରିଛି ବୋଲି କଫି ବୋର୍ଡର ଆଞ୍ଚଳିକ ସଂଯୋଗ ଅଧିକାରୀ ଅଜିତ କୁମାର ରାଉତ ଜଣାଇଛନ୍ତି ।
କୋରାପୁଟରେ ଥିବା ଟିଡିସିସି କାଉଣ୍ଟରର ପରିଚାଳକ ଜଗନ୍ନାଥ ରାଉତଙ୍କ କହିବାନୁଯାୟୀ ପ୍ରତିଦିନ ପ୍ରାୟ ୫୦ କିଲୋ କଫି ଗୁଣ୍ଡର ଚାହିଦା ଥିବା ବେଳେ ଏହିଠାରେ ଲଗାଯାଇଥିବା ଗ୍ରାଇଣ୍ଡରର କଫି ମଞ୍ଜିକୁ ଗୁଣ୍ଡ କରିବା କ୍ଷମତା କମ । ତେଣୁ ଦିନକୁ କେବଳ ୩୦ କିଲୋ କଫି ଗୁଣ୍ଡ ପ୍ରସ୍ତୁତ କରିହେଉଛି । ତେଣୁ ଅନେକ ସମୟରେ ଗ୍ରାହକଙ୍କୁ ଖାଲିହାତରେ ଫେରିବାକୁ ପଡୁଥିବା ସେ ସ୍ପଷ୍ଟ କରିଛନ୍ତି ।
ତେବେ ଏହି ସମସ୍ୟାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଏକ ବ୍ୟବସାୟ ଉପଯୋଗୀ ଗ୍ରାଇଣ୍ଡର ଅଣାଯାଉଥିବା ଅଜିତ ରାଉତ ଜଣାଇଛନ୍ତି । ଆସନ୍ତା ଡିସେମ୍ବର ମାସ ପରେ ଅଧିକ ମାତ୍ରାରେ କଫି ମଞ୍ଜି ମିଳିବା ଆରମ୍ଭ ହେବ ଓ ତାହାଦ୍ବାରା ଆହୁରି ଉନ୍ନତ ମାନର କଫି ବଜାରକୁ ଛାଡିବା ସମ୍ଭବ ହେବ ବୋଲି ସେ ମତ ପ୍ରକାଶ କରିଛନ୍ତି ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ