କୋରାପୁଟ:ଜଗନ୍ନାଥ ଚେତନା ଓ ସଂସ୍କୃତିର ବାର୍ତାବହ ସାଜିଛି ଶାବର ଶ୍ରୀକ୍ଷେତ୍ର କୋରାପୁଟର ଜଗନ୍ନାଥ ମନ୍ଦିର । ଏହି ମନ୍ଦିରଟି 1972 ମସିହାରେ ପ୍ରତିଷ୍ଠା ହୋଇଥିବା ବେଳେ ଚଳିତ ବର୍ଷ ଏହାର ସୁବର୍ଣ୍ଣ ଜୟନ୍ତୀ ପାଳିତ ହେଉଛି । ଏନେଇ ପୁରୀର ବିଶିଷ୍ଟ ଜଗନ୍ନାଥ ସଂସ୍କୃତି ଗବେଷକ ତଥା ପଣ୍ଡିତ ସଦାଶିବ ରଥଶର୍ମାଙ୍କ ସୁପୁତ୍ର ସୂର୍ଯ୍ୟନାରାୟଣ ରଥଶର୍ମା ମନ୍ଦିରକୁ ଯାଇ ଜଗନ୍ନାଥଙ୍କ ଦର୍ଶନ କରିବା ସହ ସୁବର୍ଣ୍ଣ ଜୟନ୍ତୀ ପାଳନ ବିଷୟରେ ମନ୍ଦିର ପରିଚାଳନା କମିଟିର ସଦସ୍ୟ ମାନଙ୍କ ସହିତ ଆଲୋଚନା କରିଥିଲେ । ଚଳିତ ବର୍ଷ ମନ୍ଦିରର 50 ବର୍ଷ ପୂର୍ତ୍ତି ଅବସରରେ ଉତ୍ସବ ପାଳନ କରାଯାଉଥିବା ଜାଣି ଏହି ଉତ୍ସବରେ ନିଜେ ଯୋଗ ଦେବା ସହ ଯଜ୍ଞ ଓ ଅନ୍ୟାନ୍ୟ ବିଧି ବିଧାନ ସମ୍ପନ୍ନ କରିବା ପାଇଁ ସମସ୍ତ ପ୍ରକାରର ସହଯୋଗ କରିବେ ବୋଲି ସେ ପ୍ରତିଶ୍ରୁତି ଦେଇଥିବା ମନ୍ଦିରର ସମ୍ପାଦକ ଜଗବନ୍ଧୁ ସାମଲ ଜଣାଇଛନ୍ତି ।
ତେବେ ଆଦିବାସୀଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀ ଜଗନ୍ନାଥ, ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରା ମୁଖ୍ୟ ମନ୍ଦିରରେ ପୂଜା ପାଉଥିବା ବେଳେ ଏଠାରେ ଥିବା ମୁଖ୍ୟ ମନ୍ଦିର ବେଢ଼ା, ଭାରତ ଦର୍ଶନ ଓ ଉତ୍କଳ ଦର୍ଶନ ବେଢ଼ା ଭକ୍ତଙ୍କ ମଧ୍ୟରେ ଶ୍ରୀ ଜଗନ୍ନାଥଙ୍କ ଜଗତ ବ୍ୟାପି ଉପସ୍ଥିତିର ଭାବ ପ୍ରକାଶ କରିଥାଏ । ଏଠାରେ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଶ୍ରୀମନ୍ଦିର ମଧ୍ୟରେ ତିନି ଠାକୁରଙ୍କୁ ଦର୍ଶନ ଓ ପୂଜା କରିବା ସହ ଜଗନ୍ନାଥ ଚେତନାର ସ୍ପର୍ଶ ପାଇ ପୁଲ୍ଲକିତ ହୋଇଉଠନ୍ତି । ଏକ ଛୋଟ ଟିଣ ଛାତ ଘରୁ ଆରମ୍ଭ ହୋଇଥିବା ଏହି ମନ୍ଦିର ଆଜି ନିଜ କାୟା ବିସ୍ତାର କରି ବର୍ଣ୍ଣନା କରୁଛି ଅନେକ କାହାଣୀ ।
ଏଠାରେ ଦେଶ ତଥା ଦେଶ ବାହାରୁ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ଏଠାରେ ଜମିଥାଏ । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏଠାରେ ସମାନ ଏବଂ ଏଠାରେ ନାହିଁ କୌଣସି ବାଛ ବିଚାର । ପଣ୍ଡାଙ୍କ ସହ କାନ୍ଧରେ କାନ୍ଧ ମିଳାଇ ଆଦିବାସୀ ପୂଜକ ମାନେ ମୁଖ୍ୟ ପୂଜା ସମ୍ପାଦିତ କରୁଥିବା ବେଳେ ମନ୍ଦିରର ମହାପ୍ରସାଦ ପ୍ରସ୍ତୁତି ଠାରୁ ଆରମ୍ଭ କରି ଆନନ୍ଦବଜାରକୁ ନୀତି ଆସୁଥିବା ହଜାର ହଜାର ଭକ୍ତଙ୍କ ସେବାର ଦାୟିତ୍ୱ ତୁଲାଇଥାନ୍ତି ।