ଓଡିଶା

odisha

ETV Bharat / state

ପାରମ୍ପରିକ ଧାନ ସଂରକ୍ଷଣରେ ରାଷ୍ଟ୍ରପତିଙ୍କ ପ୍ରଶଂସା, କୃତଜ୍ଞତା ଜଣାଇଲେ ପଦ୍ମଶ୍ରୀ କମଳା ପୂଜାରୀ - ପାରମ୍ପରିକ କିସମ ଧାନ ସଂରକ୍ଷଣ

ପାରମ୍ପରିକ କିସମ ଧାନ ସଂରକ୍ଷଣ ଓ ସୁରକ୍ଷା ଦିଗରେ ପଦ୍ମଶ୍ରୀ କମଳା ପୂଜାରୀଙ୍କ ପ୍ରୟାସକୁ ପ୍ରଶଂସା କଲେ ରାଷ୍ଟ୍ରପତି । ଅଧିକ ପଢ଼ନ୍ତୁ

ପଦ୍ମଶ୍ରୀ କମଳା ପୂଜାରୀ
padmashree kamala pujari

By

Published : Feb 12, 2023, 1:09 PM IST

kamala pujari thanked to president

କୋରାପୁଟ: କଟକ ଜିଲ୍ଲାର ବିଦ୍ୟାଧରପୁର ସ୍ଥିତ ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ (NRRI)ଠାରେ ଆୟୋଜିତ ଦ୍ଵିତୀୟ ଭାରତୀୟ ରାଇସ କଂଗ୍ରେସରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଧାନ ଉତ୍ପାଦନ ଏବଂ ପାରମ୍ପରିକ ଧାନ ସଂରକ୍ଷଣ ନେଇ ଅଭିଭାଷଣ ରଖିଥିଲେ । ପାରମ୍ପରିକ କିସମ ଧାନ, ସୁରକ୍ଷା ସହିତ ପରିବେଶ ସନ୍ତୁଳନର କଥା କହି କୋରାପୁଟ ଜିଲ୍ଲାର ଆଦିବାସୀ ମହିଳା ଚାଷୀ କମଳା ପୂଜାରୀଙ୍କ ଉଦାହରଣ ଦେଇଥିଲେ । କମଳା ପୂଜାରୀ ଶତାଧିକ ପ୍ରକାରର ପାରମ୍ପରିକ ଧାନ ବିହନ ସଂରକ୍ଷଣ କରି ପଦ୍ମଶ୍ରୀ ସମ୍ମାନ ପାଇ ବିଶ୍ବ ଦରବାରରେ ପ୍ରଶଂସାର ପାତ୍ର ପାଲଟିଛନ୍ତି । ରାଷ୍ଟ୍ରପତିଙ୍କ ଅଭିଭାଷଣ ଶୁଣି କମଳା ପୂଜାରୀ ତାଙ୍କୁ କୃତଜ୍ଞତା ଜଣାଇଛନ୍ତି ।

କଟକ ବିଦ୍ୟାଧରପୁର ସ୍ଥିତ ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନରେ ଅନୁଷ୍ଠିତ ଦ୍ବିତୀୟ ସର୍ବଭାରତୀୟ ଧାନ କଂଗ୍ରେସରୁ ଉଦଘାଟନ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଥିଲେ ଯେ, ‘‘ଚାଉଳ ଭାରତୀୟ ଖାଦ୍ୟ ସୁରକ୍ଷାର ଏକ ମୁଖ୍ୟ ଆଧାର ଏବଂ ଆମ ଅର୍ଥ ବ୍ୟବସ୍ଥାର ଏକ ପ୍ରମୁଖ ଅଙ୍ଗ । ଧାନ କେବଳ ଏକ ଖାଦ୍ୟ ନୁହେଁ ବରଂ ଏହା ଆମର ସଂସ୍କୃତି ପରମ୍ପରା ସହିତ ଜଡ଼ିତ ।" ପାରମ୍ପରିକ କିସମର ଧାନ ସଂରକ୍ଷଣ ଏବଂ ସୁରକ୍ଷାର ବାର୍ତ୍ତା ଦେଇ କୋରାପୁଟ ଜିଲ୍ଲାର ଏକ ଅଖ୍ୟାତ ଗାଁ ପାତ୍ରପୁଟର ଆଦିବାସୀ ମହିଳା ଚାଷୀ ତଥା ପଦ୍ମଶ୍ରୀ କମଳା ପୂଜାରୀଙ୍କ ଉଦାହରଣ ଦେଇଥିଲେ ଏବଂ ପାରମ୍ପରିକ ଧାନକୁ ବଞ୍ଚାଇ ରଖିବାକୁ ତାଙ୍କ ପ୍ରୟାସକୁ ରାଷ୍ଟ୍ରପତି ପ୍ରଶଂସା କରିଥିଲେ ।

କମଳା ପୂଜାରୀଙ୍କ କୃତିକୁ ରାଷ୍ଟ୍ରପତି ସମ୍ମାନ ଜଣାଇବା ସମଗ୍ର କୋରାପୁଟ ଜିଲ୍ଲା ପାଇଁ ଏକ ଗୌରବର ବିଷୟ ବୋଲି ଆଦିବାସୀ ଗବେଷଣା ନିୟୋଜିତ ସଂସ୍ଥା କୋଟସର ନିର୍ଦ୍ଦେଶକ ପ୍ରଫେସର ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ର କହିଛନ୍ତି । ସେ କହିଛନ୍ତି, "କୋରାପୁଟ ଜିଲ୍ଲା ପାତ୍ରପୁଟରେ ପାରମ୍ପରିକ ଧାନ ସଂରକ୍ଷଣ ଓ ଜୈବିକ ପ୍ରଣାଳୀରେ ଚାଷ କାର୍ଯ୍ୟ ପ୍ରସାର ଦିଗରେ ବିଶ୍ୱ ସ୍ତରରେ ଖ୍ୟାତି ଅର୍ଜନ କରିଥିବା ପଦ୍ମଶ୍ରୀ କମଳା ପୂଜାରୀ ରାଜ୍ୟ ତଥା ଦେଶର ଗର୍ବ ଓ ଗୌରବ ।

କୋରାପୁଟ ଜିଲ୍ଲାର ଏକ ଛୋଟ ଅଖ୍ୟାତ ଗାଁରେ ଜୈବିକ ପଦ୍ଧତିରେ ପାରମ୍ପରିକ ଚାଷ କରି ଅତି ସରଳ ଜୀବନ ବିତାନ୍ତି କମଳା ପୂଜାରୀ । ଜୟପୁର ସ୍ଥିତ ସ୍ୱାମୀନାଥନ ଫାଉଣ୍ଡେସନର ସକ୍ରିୟ ସହଯୋଗରେ ଦେଢ଼ ଶହରୁ ଉର୍ଦ୍ଧ୍ବ ପାରମ୍ପରିକ ଧାନକୁ ସଂରକ୍ଷଣ କରିପାରିଥିଲେ । ସଂସ୍ଥା ସହଯୋଗରେ ୨୦୦୨ ମସିହାରେ ଜୋହେନ୍ସ ବର୍ଗରେ ଅନୁଷ୍ଠିତ ଆନ୍ତର୍ଜାତୀୟ ସମ୍ମିଳନୀରେ ଯୋଗଦେଇ ପାରମ୍ପରିକ ଓ ଜୈବିକ ଚାଷ ସମ୍ପର୍କରେ ତାଙ୍କ ଅନୁଭୂତିକୁ ବଖାଣିଥିଲେ ।

ତାଙ୍କର ଏଭଳି ପ୍ରୟାସ ଯୋଗୁଁ କମଳା ପୂଜାରୀଙ୍କୁ ରାଜ୍ୟ ସରକାର ଯୋଜନା ବୋର୍ଡର ସଦସ୍ୟ ଭାବେ ମନୋନୀତ କରି ସମ୍ମାନିତ କରିଥିଲେ । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୟପୁର ଗସ୍ତ ସମୟରେ ଜିଲ୍ଲା ତରଫରୁ ତାଙ୍କୁ ସମ୍ମାନିତ କରିବାର ଗୌରବ ସେ ଅର୍ଜନ କରିଥିଲେ । ବୟସର ଅପରାହ୍ନରେ ବର୍ତ୍ତମାନ କମଳା ପୂଜାରୀ ଆଉ ଚାଷ କାର୍ଯ୍ୟ କରିପାରୁନାହାନ୍ତି । କିନ୍ତୁ ଅଞ୍ଚଳବାସୀଙ୍କ ପାଇଁ ପାରମ୍ପରିକ ଧାନ ସଂରକ୍ଷଣ କରି ଏକ ଭିନ୍ନ ବାର୍ତ୍ତା ଦେଇଛନ୍ତି ।

ଇଟିଭି ଭାରତ, କୋରାପୁଟ

ABOUT THE AUTHOR

...view details