କୋରାପୁଟ: ସମୟ ସହ ବଦଳିବାରେ ଲାଗିଛି ଚାଷ କାର୍ଯ୍ୟର ପ୍ରଣାଳୀ । ଆଧୁନିକତା ଭିତରେ ଲୋପ ପାଇବାକୁ ବସିଲାଣି ପାରମ୍ପରିକ ପଦ୍ଧତି । ଏମିତିରେ ପାରମ୍ପରିକ ଧାନ ଚାଷକୁ ଆଜିର ପୀଢି ପାଖରେ ପହଞ୍ଚାଇ ପାରିଛନ୍ତି ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ କୋରାପୁଟ ଜିଲ୍ଲା ପାତ୍ରପୁଟର କମଳା ପୂଜାରୀ । ଯିଏ ଜୀବନରେ କାହାଠାରୁ କିଛି ନେବାଠାରୁ କାହାକୁ କିଛି ଦେବାରେ ଅଧିକ ଆନନ୍ଦ ଅନୁଭବ କରିଥାନ୍ତି ।
ପଦ୍ମଶ୍ରୀ କମଳା ପୂଜାରୀ; ବୟସର ଅପରାହ୍ନରେ ବି କରନ୍ତି ବିଶ୍ବକୁ ଅନୁପ୍ରାଣିତ ଆଜିର ସମୟରେ ଲୋପ ପାଇବାକୁ ବସିଥିବା ପ୍ରାୟ 300ରୁ ଉର୍ଦ୍ଧ୍ବ କିଷମର ଧାନକୁ ‘ସିଡ୍ ବ୍ୟାଙ୍କ’ରେ ସାଇତି ରଖିଛନ୍ତି କମଳା । ଧାନ ସଂରକ୍ଷଣ ଓ ଜୈବିକ ପ୍ରଣାଳୀରେ ଚାଷ କାମର ପ୍ରସାର ଦିଗରେ ସେ ଅହରହ କାର୍ଯ୍ୟରତ । ଆଉ କମଳାଙ୍କ ଏହି ମହାନ ଉଦ୍ୟମ ପାଇଁ କୋରାପୁଟରୁ ଜୋହାନ୍ସବର୍ଗ ପର୍ଯ୍ୟନ୍ତ ବ୍ୟାପିଛି ତାଙ୍କର ସଫଳତାର ଯାତ୍ରା । ଏନେଇ ସ୍ଥାନୀୟ, ଜାତୀୟ ତଥା ଅନ୍ତର୍ଜାତୀୟସ୍ତରର ମଞ୍ଚରେ ଅନେକ ଥର ପୁରସ୍କୃତ ହୋଇସାରିଛନ୍ତି ସେ ।
ତେବେ କମଳାଙ୍କ ଏହି ପ୍ରୟାସରେ ତାଙ୍କୁ ପୂର୍ଣ୍ଣ ସହଯୋଗ ଜଣାଇଛନ୍ତି ସ୍ବାମୀନାଥନ ଫାଉଣ୍ଡେସନ । ଫଳରେ 2002 ମସିହାରେ ଜୋହାନ୍ସବର୍ଗରେ ଅନୁଷ୍ଠିତ ଅନ୍ତର୍ଜାତୀୟ ସମ୍ମିଳନୀରେ ଯୋଗ ଦେଇ ପାରମ୍ପରିକ ଓ ଜୈବିକ ଚାଷ ସମ୍ପର୍କରେ ନିଜର ଅନୁଭୂତି ବାଣ୍ଟିବାର ସୁଯୋଗ ପାଇଥିଲେ କମଳା । ଏହି ବର୍ଷ ତାଙ୍କୁ ଓୟୁଏଟି (ଓଡିଶା ୟୁନିଭର୍ସିଟି ଅଫ ଏଗ୍ରିକଲଚର ଆଣ୍ଡ ଟେକ୍ନୋଲୋଜି) ଦ୍ବାରା ‘Equator of Initiative Award’ରେ ମଧ୍ୟ ସମ୍ମାନୀତ କରାଯାଇଥିଲା । ପରେ ପରେ 2004 ମସିହାରେ ତାଙ୍କୁ ରାଜ୍ୟ ସରକାରଙ୍କ ଦ୍ବାରା ‘ଶ୍ରେଷ୍ଠ ମହିଳା ଚାଷୀ’ ଓ 2019 ମସିହାରେ ଭାରତ ସରକାରଙ୍କ ଦ୍ବାରା ପଦ୍ମଶ୍ରୀ ସମ୍ମାନରେ ଆଭୂଷିତ କରାଯାଇଥିଲା ।
ରାଜ୍ୟର ପ୍ରଥମ ଆଦିବାସୀ ମହିଳା ଭାବେ ତାଙ୍କୁ ରାଜ୍ୟ ସରକାରଙ୍କ ଯୋଜନା ବୋର୍ଡର ସଦସ୍ୟ ଭାବେ ମନୋନୀତ କରାଯାଇଛି । ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୟପୁର ଗସ୍ତ ସମୟରେ ମଧ୍ୟ ସମ୍ମାନୀତ ହୋଇଛନ୍ତି କମଳା । ହେଲେ ଏବେ ବୟସର ଅପରାହ୍ନରେ ଆଉ ବିଲ ବାଡିକୁ ଯାଇ ଚାଷ କଥା ବୁଝିପାରୁନାହାନ୍ତି ସେ । ତଥାପି ପରିବାର ଓ ଅଞ୍ଚଳବାସୀଙ୍କ ପାଇଁ ଧାନ ସଂରକ୍ଷଣ କରି ଯେଉଁ ଆନନ୍ଦ ପାଇଛନ୍ତି ତାକୁ ହିଁ ଆଧାର କରି ଖୁସିରେ ଶେଷ ଜୀବନ ବିତାଉଛନ୍ତି ଏହି ପଦ୍ମଶ୍ରୀ ଆଭୂଷିତା ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ