ଓଡିଶା

odisha

ETV Bharat / state

ପୁଣି ଥରେ ଝୁଲିପାରେ କୋରାପୁଟ ବାଇପାସ ରୋଡର ଭାଗ୍ୟ - କୋରୋପୁଟ ବାଇପାସ ରୋଡର ଭାଗ୍ୟ

କୋରାପୁଟ ସହର ଦେଇ ରାୟପୁର ଠାରୁ ବିଶାଖାପାଟଣା ପର୍ଯ୍ୟନ୍ତ ଲମ୍ବିଥିବା ଜାତୀୟ ରାଜପଥ ବର୍ଷ ବର୍ଷ ଧରି ଲୋକଙ୍କ ଚିନ୍ତାର କାରଣ ହୋଇଥିଲେ ମଧ୍ୟ ଏ ସମସ୍ୟାର କୌଣସି ସମାଧାନ ହୋଇପାରୁନାହିଁ । ପୁଣି ଥରେ ବାଇପାସ ପ୍ରୋଜେକ୍ଟ ଝୁଲି ରହିବା ନେଇ ଆଶଙ୍କା । ଅଧିକ ପଢନ୍ତୁ...

ପୁଣି ଥରେ ଝୁଲିପାରେ କୋରୋପୁଟ ବାଇପାସ ରୋଡର ଭାଗ୍ୟ
ପୁଣି ଥରେ ଝୁଲିପାରେ କୋରୋପୁଟ ବାଇପାସ ରୋଡର ଭାଗ୍ୟ

By

Published : Jul 6, 2020, 10:14 PM IST

Updated : Jul 14, 2020, 6:09 PM IST

କୋରାପୁଟ: ସହର ମଧ୍ୟ ଦେଇ ରାୟପୁରଠାରୁ ବିଶାଖାପାଟଣା ପର୍ଯ୍ୟନ୍ତ ଲମ୍ବିଥିବା ଜାତୀୟ ରାଜପଥ ବର୍ଷ ବର୍ଷ ଧରି ଲୋକଙ୍କ ଚିନ୍ତାର କାରଣ ହୋଇଥିଲେ ମଧ୍ୟ ଏ ସମସ୍ୟାର କୌଣସି ସମାଧାନ ହୋଇପାରୁନାହିଁ । ଜାତୀୟ ରାଜପଥ କଡରେ ବଜାର ଓ ସରକାରୀ କ୍ବାଟର୍ସର ଗହଳି ରାସ୍ତାକୁ ସଂକୀର୍ଣ୍ଣ କରିଦେଇଥିବା ଯୋଗୁଁ ଅନେକ ଦୁର୍ଘଟଣା ଘଟିଚାଲିଛି ।

ପୁଣି ଥରେ ଝୁଲିପାରେ କୋରୋପୁଟ ବାଇପାସ ରୋଡର ଭାଗ୍ୟ

ଜନସାଧାରଣଙ୍କ ଏହି ଅସୁବିଧାକୁ ଦୃଷ୍ଟିରେ ରଖି ଜୟପୁର ପଟରୁ କୋରାପୁଟ ବାଟଦେଇ ସୁନାବେଡା ଆଡକୁ ଯିବା ପାଇଁ ସହର ମଧ୍ୟଭାଗକୁ ଛାଡି ଏକ ବାଇପାସ ରାସ୍ତା ନିର୍ମାଣ କରିବା ଲାଗି 2014ରେ କରାଯାଇଥିଲା ଯୋଜନା । ଜାତୀୟ ରାଜପଥ ବିଭାଗର ଯନ୍ତ୍ରୀମାନେ ରେଳ ଓଭରବ୍ରିଜ ନିକଟରୁ ରାସ୍ତାକୁ ମୋଡିଦେଇ ରେଳବାଇ କଲୋନୀ ଓ ଷ୍ଟାଡ଼ିୟମ ବାଟଦେଇ ମୃତ୍ତିକା ସଂରକ୍ଷଣ କଲୋନୀ ପରେ ଜୟପୁର ରାସ୍ତାରେ କଫି ବୋର୍ଡ ପର୍ଯ୍ୟନ୍ତ ଏକ ବାଇପାସ ରାସ୍ତା ବାହାର କରିବାକୁ ମ୍ୟାପ ବି ପ୍ରସ୍ତୁତ କରାଗଲା । ଏନେଇ 8 କୋଟି ଟଙ୍କା ବ୍ୟୟବରାଦକୁ ମଞ୍ଜୁରୀ ଦିଆଯାଇଥିବା ଏନଏଚର ନିର୍ବାହୀ ଯନ୍ତ୍ରୀ ଅଜୟ କୁମାର ମହାନ୍ତି ଜଣାଇଥିଲେ । ସେତେବେଳଠାରୁ ଏହି ପ୍ରସ୍ତାବରେ ରେଳବାଇ କର୍ତ୍ତୃପକ୍ଷ ଅମଙ୍ଗ ହେବାରୁ ଏହି ଅର୍ଥ ଫେରିଯାଇଥିବା ସେ ଜଣାଇଛନ୍ତି ।

2018ରେ ପୂର୍ବତନ ଜିଲ୍ଲାପାଳଙ୍କ ଦ୍ବାରା ରେଳବାଇକୁ ସୁହାଇଲା ଭଳି ମାନବାର ବାଟଦେଇ ଗୋଟିଏ ରାସ୍ତା ବାହାର କରିବାକୁ ଏକ ପ୍ରସ୍ତାବ ଆଗତ କରାଯାଇଥିଲା । ହେଲେ ରେଳବାଇ କଲୋନୀ ପାଖ ଦେଇ 2 କିଲୋମିଟର ବାଟ ଫିଟାଇବାକୁ ପଡୁଥିବା ବେଳେ ମାନବାର ଦେଇ 9 କିଲୋମିଟର ବାଟ ଅତିକ୍ରମ କରିବାକୁ ପଡୁଥିବା ଯୋଗୁଁ ପୂର୍ବ ଯୋଜନାକୁ କିପରି ରୂପ ଦେଇହେବ ଏ ସଂକ୍ରାନ୍ତରେ ଜିଲ୍ଲା ପ୍ରଶାସନ, ରେଳ ବିଭାଗର କର୍ମକର୍ତ୍ତା , ଏନଏଚର ଯନ୍ତ୍ରୀ , ସାଂସଦ ଓ ବିଧାୟକଙ୍କ ଉପସ୍ଥିତିରେ ଜିଲ୍ଲାପାଳଙ୍କ ସଭାଗୃହରେ ଗତ ସପ୍ତାହରେ ଏକ ବୈଠକ ଅନୁଷ୍ଠିତ କରାଯାଇ ସୋମବାର ସମସ୍ତେ ଏହି ପ୍ରସ୍ତାବିତ ରାସ୍ତା ପାଇଁ ଆବଶ୍ୟକ ହେଉଥିବା ଜମିକୁ ପରିଦର୍ଶନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ।

ସୋମବାର ଏହି ନିଷ୍ପତ୍ତି ଅନୁଯାୟୀ ଯେତେବେଳେ ସମସ୍ତେ ଯାଇ ରେଳପଡ଼ିଆଠାରେ ପହଞ୍ଚିଥିଲେ, ରେଳ ବିଭାଗର ଡିଆରଏମଙ୍କ ପ୍ରତିନିଧି ଭାବେ ଆସିଥିବା ଡିଭିଜନାଲ ସିନିୟର ମ୍ୟାନେଜର ପ୍ରସନ୍ନ ମହାନ୍ତି ରେଳବାଇ କଲୋନୀ ପାଖଦେଇ ଜାତୀୟ ରାଜପଥ ନିର୍ମାଣ କରିବାର ପ୍ରସ୍ତାବକୁ ରୋକଠୋକଭାବେ ମନା କରିଦେଇଛନ୍ତି । ଫଳରେ ସେଠାରେ ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା । ରେଳବିଭାଗର ଏପରି ଆଭିମୁଖ୍ୟକୁ ଉପସ୍ଥିତ ଜନ ପ୍ରତିନିଧି ଓ କୋରାପୁଟ ବାସିନ୍ଦା ସହଜରେ ଗ୍ରହଣ କରପାରିଲେ ନାହିଁ । ରେଳବାଇ କଲୋନୀ ପାଖଦେଇ ଜାତୀୟ ରାଜପଥ ନେବା ପାଇଁ ପ୍ରଥମେ ପ୍ରଦୂଷଣ ତଥା କଲୋନୀବାସୀଙ୍କ ସୁରକ୍ଷାକୁ କାରଣ ଦର୍ଶାଉଥିଲେ ହେଁ ପରବର୍ତ୍ତୀ ପର୍ଯ୍ୟାୟରେ ରେଳ କର୍ମଚାରୀ ସଂଘ ତଥା ରେଳବାଇ କଲୋନୀ ବାସିନ୍ଦା ଏହାକୁ ବିରୋଧ କରୁଥିବା କହି ପ୍ରକଳ୍ପରେ ବାଧା ପହଞ୍ଚାଇବା ପାଇଁ ପ୍ରଚେଷ୍ଟା କରିଥଲେ ।

କିନ୍ତୁ ତାଙ୍କ ପ୍ରତିଟି ଯୁକ୍ତିକୁ ଅନ୍ୟମାନେ ତଥ୍ୟ ଓ ଉଦାହରଣ ସମ୍ବଳିତ ଯୁକ୍ତି ମାଧ୍ୟମରେ କାଟିବା ପରେ ରେଳବାଇ କଲୋନୀଠାରୁ କିଛି ଦୂରରେ ପଡ଼ିଆର ଆରପଟକୁ ଲାଗି ଏହି ରାସ୍ତାକୁ ନେବା ପାଇଁ ଏକ ନୂତନ ଯୋଜନା କରିବା ପାଇଁ ଜିଲ୍ଲାପାଳ ମଧୁସୂଦନ ମିଶ୍ର ଦେଇଥିବା ପ୍ରସ୍ତାବକୁ ସମସ୍ତେ ଗ୍ରହଣ କରିଥିଲେ । ତେବେ ମଙ୍ଗଳବାରଠାରୁ ଏହି ଯୋଜନାର ଏକ ମ୍ୟାପ ତିଆରି କରିବା କାର୍ଯ୍ୟ ଆରମ୍ଭ କରାଯିବ ବୋଲି ଏନଏଚ ନିର୍ବାହୀ ଯନ୍ତ୍ରୀ ଆଶା ବ୍ୟକ୍ତ କରିଥିଲେ ମଧ୍ୟ ରେଳବାଇ କର୍ତ୍ତୃପକ୍ଷଙ୍କ ବକ୍ତବ୍ୟ ଓ ପରବର୍ତ୍ତୀ ପର୍ଯ୍ୟାୟରେ ନିଆଯାଉଥିବା ନିଷ୍ପତ୍ତିରେ ଅନିଶ୍ଚିତ ପରିବର୍ତ୍ତନକୁ ଦେଖି ବାସ୍ତବରେ ବାଇପାସର କାର୍ଯ୍ୟ ଆରମ୍ଭ ହେବ ନା ପୁଣିଥରେ ଝୁଲି ରହିବ ସେ ନେଇ ସନ୍ଦେହ ପ୍ରକାଶ ପାଇଛି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

Last Updated : Jul 14, 2020, 6:09 PM IST

ABOUT THE AUTHOR

...view details