କୋରାପୁଟ: ଦିନ ଥିଲା କୋରାପୁଟ ମାଣ୍ଡିଆର ଏତେ ଆଦର ନଥିଲା । ହେଲେ ଏବେ ଏହାର ଚାହିଦା ଯଥେଷ୍ଟ ଅଧିକ । ରାଜ୍ୟ ସରହଦ ଡେଇଁ ଏହା ରାଜ୍ୟ ବାହାରେ ଲୋକଙ୍କ ମନ ଜିଣିଛି । କୋରାପୁଟ ଆଦିବାସୀ ମାନେ ଚାଷ କରୁଥିବା ମାଣ୍ଡିଆ ମରୁଡ଼ି ପରିବେଶକୁ ସହ୍ୟ କରିବାର କ୍ଷମତା ଥିବା କୋରାପୁଟ ସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଅଧ୍ୟାପକ ଡ. ଦେବବ୍ରତ ପଣ୍ଡା ସୂଚନା ଦେଇଛନ୍ତି । ଦୀର୍ଘ ବର୍ଷ ଧରି କୋରାପୁଟର ବିଭିନ୍ନ ଦେଶୀ ମାଣ୍ଡିଆର ଜଳବାୟୁ ବିପର୍ଯୟ ସହମନଶୀଳତା ଉପରେ ଗବେଷଣା କରିବା ପରେ ଏହି ତଥ୍ୟ ପ୍ରକାଶ କରିଛନ୍ତି ।
ଜିଲ୍ଲାର ପାର୍ବତ୍ୟ ଅଞ୍ଚଳରେ ମାଣ୍ଡିଆର ପ୍ରକାର ଭେଦ ଓ ଆଦିବାସୀଙ୍କ ପାଖରେ ଥିବା ଜ୍ଞାନ କୌଶଳକୁ ଦେଖିଲେ ଏହି ଅଞ୍ଚଳ ଧାନ ଭଳି ମାଣ୍ଡିଆର ମଧ୍ୟ ଜନ୍ମସ୍ଥଳୀ ହୋଇଥିବା ଅନୁମାନ କରାଯାଏ । ୬ ପ୍ରକାର ପାମ୍ପରିକ ମାଣ୍ଡିଆ ଯଥା ଲଡୁ ମାଣ୍ଡିଆ, ଲଲା ମାଣ୍ଡିଆ, ବାଟି ମାଣ୍ଡିଆ, ତୁମକ ମାଣ୍ଡିଆ ଓ ଭାଲୁ ମାଣ୍ଡିଆ ଭଳି ୬ଟି ମାଣ୍ଡିଆ ଜଳ ସଞ୍ଚୟକାରୀ ଓ ମରୁଡି ସହନଶୀଳ ହୋଇଥିବା ଯୋଗୁଁ ଜଳବାୟୁର ପରିବର୍ତ୍ତନକୁ ସହଜରେ ଆଦରି ନେଇପାରିବ ବୋଲି ତଥ୍ୟରୁ ଜଣାପଡ଼ିଛି । ଏହି ମାଣ୍ଡିଆର ଗୁଣସୂତ୍ରରେ ସହନଶୀଳତାର ଜିନ ରହିଥିବା ଗବେଷଣାରୁ ଜଣାପଡ଼ିଛି । ସମ୍ପ୍ରତି ଜଳବାୟୁ ପରିବର୍ତ୍ତନ ପାଇଁ ସହନଶୀଳ ମାଣ୍ଡିଆ ମରୁଡ଼ି ପ୍ରତିକୂଳ ପରିବେଶରେ ଚାଷ କରିବା ସହିତ ଆଦିବାସୀଙ୍କୁ ଖାଦ୍ୟ ସୁରକ୍ଷା ଯୋଗାଇଦେବ ବୋଲି ଦେବବ୍ରତ ପଣ୍ଡା ମତ ପ୍ରକାଶ କରିଛନ୍ତି । ଏହି ମାଣ୍ଡିଆର ସହନଶୀଳତା ଜିନକୁ ନେଇ ନୂତନ ମାଣ୍ଡିଆ ତିଆରି କରି ହେବ ।