କୋରାପୁଟ:କୋରାପୁଟ ଏକ ଆଦିବାସୀ ଆଧ୍ୟୁଷିତ ଜିଲ୍ଲା ହୋଇଥିବା ବେଳେ ଏଠିକାର ଭାଷା, ସଂସ୍କୃତି ଏବଂ ପରମ୍ପରା ସବୁଠାରୁ ନିଆରା । କିନ୍ତୁ ଦିନକୁ ଦିନ ଏହା ଲୋପ ପାଇବାରେ ଲାଗିଛି । ତେଣୁ ରାଜ୍ୟ ସରକାର ଆଦିବାସୀ ଶିକ୍ଷା ଗ୍ରହଣରେ ସୁବିଧା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏହି ପରିପ୍ରେକ୍ଷୀରେ କୋରାପୁଟ ସ୍ଥିତ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ତଥା ରାଜ୍ୟ ସରକାର ଏବଂ ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ପିଲାଙ୍କ ଶିକ୍ଷା ଗ୍ରହଣରେ ସୁବିଧା ଆଣିବା ବିଭିନ୍ନ ଭାଷାରେ ପ୍ରାଇମର ପ୍ରସ୍ତୁତ କରିଛନ୍ତି ।
ତେବେ ମାତୃଭାଷା ତଥା ଲୋକଙ୍କ ମଧ୍ୟରେ ସମ୍ପର୍କ ସ୍ଥାପନ କରିବା ଭଳି ଦେଶିଆ ଭାଷାରେ ଦିଆଯାଉଥିବା ଶିକ୍ଷା ବାର୍ତ୍ତା ସମସ୍ତଙ୍କ ପାଇଁ ସହଜରେ ବୁଝିବାରେ ସହାୟକ ହୁଏ । ତେଣୁ ଦେଶିଆ ଭାଷାରେ ବାର୍ତ୍ତାକୁ ଆକର୍ଷଣୀୟ ଢଙ୍ଗରେ ରଚନା କରିବା, ତାକୁ ସଙ୍ଗୀତ ପ୍ରଦାନ କରିବା ପ୍ରଭୃତି କାର୍ଯ୍ୟ କଷ୍ଟକର ବ୍ୟାପାର ହେଲେ ମଧ୍ୟ ସାମୁହିକ ହିତ ହୋଇଥାଏ ବୋଲି ସଂଗଠନର ସଭାପତି ମଦନ କିର୍ଶାନି ମତ ରଖିଛନ୍ତି ।
ସେହିଭଳି ମହାଦେଇପୁଟ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ବହୁଭାଷୀ ଶିକ୍ଷା ଦାନର ପ୍ରଶିକ୍ଷକ ବିଜୟ ରଥ କହିଛନ୍ତି ଯେ, କୋରାପୁଟରୁ କେନ୍ଦୁଝର ପର୍ଯ୍ୟନ୍ତ ଆଦିବାସୀ ବହୁଳ ଜିଲ୍ଲା ଗୁଡ଼ିକରେ ବିଭିନ୍ନ ଅନୁଷ୍ଠାନ ଦ୍ଵାରା ଅନେକ ପ୍ରୟାସ କରାଯାଉଛି । ସେହି ସମସ୍ତ ପ୍ରୟାସକୁ ଜାଣିବା ଓ ସେହି ଅଭିଜ୍ଞତାକୁ ଏକାଠି କରି ପରସ୍ପରର ପ୍ରୟାସକୁ ଶକ୍ତି ପ୍ରଦାନ କରିବା ପାଇଁ ଅନେକ ସମୟରେ ରାଜ୍ୟ ସ୍ତରୀୟ ମାତୃଭାଷା ଭିତ୍ତିକ ବହୁଭାଷୀ ଶିକ୍ଷା କର୍ମଶାଳା ମଧ୍ୟ ଆୟୋଜିତ ହେଉଛି । ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସିଥିବା ସାଧନ କର୍ମୀ ଆଦିବାସୀ ଭାଷାଭିତ୍ତିକ ଗଳ୍ପ, ସହାୟକ ପୁସ୍ତିକା ପ୍ରସ୍ତୁତି ଦିଗରେ କାର୍ଯ୍ୟ କରିବା ପରେ ସେଗୁଡ଼ିକର ଉପାଦେୟତାର ଚର୍ଚ୍ଚା କରୁଛନ୍ତି । ତେଣୁ ଶ୍ରେଣୀ ଗୃହରେ ପିଲାମାନେ ନିଜ ମାତୃଭାଷାରେ ପାଠ ପଢିବା ଦ୍ଵାରା ସେମାନଙ୍କ ଭାଷା ଓ ସଂସ୍କୃତିର ସୁରକ୍ଷା ଦେବା ସହ ବ୍ୟବହାରରେ ବୃଦ୍ଧି ଘଟିବ ବୋଲି କହିଛନ୍ତି ।