କୋରାପୁଟ: ମଙ୍ଗଳବାର କୋଟିଆ ପଞ୍ଚାୟତ ଗସ୍ତ କରିଛନ୍ତି ଆନ୍ଧ୍ର ସରକାରୀ ଅଧିକାରୀ । ଆସନ୍ତା ଏକ ମାସ ମଧ୍ୟରେ କୋଟିଆ ପଞ୍ଚାୟତର ଉପର ସେମ୍ବି, ତଳ ସେମ୍ବି, ଉପର ଗଞ୍ଜେଇପଦର ଏବଂ ଧୂଳିପଦର ଗ୍ରାମରୁ ପ୍ରାୟ 400 ଯୋଗ୍ୟ ହିତାଧିକାରୀଙ୍କୁ ପଟ୍ଟା ହସ୍ତାନ୍ତର କରାଯିବ । ଏନେଇ କୋଟିଆ ଗସ୍ତ ଅବସରରେ ଆନ୍ଧ୍ର ପାର୍ବତିପୁରମ ଆଇଟିଡିଏ ପ୍ରକଳ୍ପ ଅଧିକାରୀ କୁର୍ମାନାଥ ଜଣାଇଛନ୍ତି ।
ଆନ୍ଧ୍ର ସରକାରୀ ଅଧିକାରୀଙ୍କ କୋଟିଆ ଗସ୍ତ, ଦେଖାଉଛନ୍ତି ପ୍ରଲୋଭନ ଏହାବ୍ୟତୀତ ଉଦ୍ୟାନ କୃଷି ଫସଲ ଉପରେ ସମ୍ପୃକ୍ତ ଆଦିବାସୀମାନଙ୍କୁ ଅବଗତ କରିବା ସହ ସେମାନଙ୍କୁ କାଜୁ ଗଛର ଚାରା ଯୋଗାଇ ଦିଆଯିବାକୁ କହିଛନ୍ତି । ବିଦ୍ୟାଳୟ ଆରମ୍ଭ ହେବାକୁ ଯାଉଥିବା କାରଣରୁ ପିଲାମାନଙ୍କୁ ଆନ୍ଧ୍ରପ୍ରଦେଶ ତରଫରୁ ଖୋଲା ଯାଇଥିବା ବିଦ୍ୟାଳୟରେ ନାମ ଲେଖାଇବା ପାଇଁ ସ୍ଥାନୀୟ ଲୋକଙ୍କୁ ସେ ପ୍ରୋତ୍ସାହିତ କରିଛନ୍ତି । ଏଥିସହ ଏହି ସମସ୍ତ ଗାଁର ଯୋଗ୍ୟ ବ୍ୟକ୍ତିମାନେ ସେମାନଙ୍କ ପେନସନ୍ ପାଇଁ ଆବେଦନ କଲେ ଏହାକୁ ମଞ୍ଜୁର କରିବା ଦିଗରେ ଉଚିତ୍ ପଦକ୍ଷେପ ନିଆଯିବ ବୋଲି ଆନ୍ଧ୍ର ଅଧିକାରୀ ସ୍ପଷ୍ଟ କରିଛନ୍ତି ।
ଉଲ୍ଲେଖଯୋଗ୍ୟ, କୋଟିଆ ପଞ୍ଚାୟତର 21ଟି ଗ୍ରାମ ଉପରେ ଅଧିକାର ପାଇବା ପାଇଁ ଆନ୍ଧ୍ର ଉଚ୍ଚତମ ନ୍ୟାୟାଳୟରେ ସଂଗ୍ରାମ ଜାରି ରଖିଛି । ଏପରି ସ୍ଥିତିରେ କୋଟିଆକୁ ଆନ୍ଧ୍ରପ୍ରଦେଶର ସରକାରୀ ଅଫିସରଙ୍କ ଏପରି ଗସ୍ତ ଅନେକ ବାର ଘଟିଛି । ଯାହାକୁ ନେଇ ଓଡିଶାର ବୁଦ୍ଧିଜୀବୀ ମହଲରେ ନାପସନ୍ଦ କରାଯାଇଛି ।
ଗତ କିଛିଦିନ ପୂର୍ବେ ନେରେଡିବାଲାସା ଠାରେ କୋରାପୁଟର ଶ୍ରୀଜଗନ୍ନାଥ ମନ୍ଦିରର ସମ୍ପାଦକ ଗଦାଧର ପରିଡାଙ୍କ ତତ୍ଵାବଧାନରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କରାଯିବା ପରେ ସାଲୁର ବିଧାୟକ ଗଦାଧରଙ୍କ ବିରୁଦ୍ଧରେ ପ୍ରତିବାଦ କରିଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ଏ ଅଞ୍ଚଳକୁ ପ୍ରତିଦିନ ଆନ୍ଧ୍ରପ୍ରଦେଶ ଅନ୍ତର୍ଗତ ପାର୍ବତିପୁରମର ଉପଜିଲ୍ଲାପାଳଙ୍କ ଠୁ ଆରମ୍ଭ କରି ଆଜି ପ୍ରକଳ୍ପ ଅଧିକାରୀଙ୍କ ପର୍ଯ୍ୟନ୍ତ ବିଭିନ୍ନ ଅଫିସରଙ୍କ ସୁଅ ଛୁଟିଛି । ତେବେ ଆଜି କୋଟିଆ ବାଟ ଦେଇ ଗଦାଧର ପରିଡା ଏବଂ କିଛି ଜଗନ୍ନାଥ ପ୍ରେମୀ ନେରେଡିବାଲାସା ଯାଇ ବିଶେଷ ପୂଜାର୍ଚ୍ଚନା କରିବାର କାର୍ଯ୍ୟକ୍ରମ ଥିଲା । ସେପଟେ ଆଜି ହିଁ ଆନ୍ଧ୍ର ପୋଲିସଙ୍କ ଉପସ୍ଥିତିରେ ଆନ୍ଧ୍ର ସରକାରଙ୍କ ପ୍ରକଳ୍ପ ଅଧିକାରୀଙ୍କ ଦ୍ଵାରା ଏହି ଅଞ୍ଚଳରେ ବୈଠକ ଆୟୋଜନ ଅନେକ କଳ୍ପନା ଜଳ୍ପନା ସୃଷ୍ଟି କରିଥିଲା । କିନ୍ତୁ ଭୀଷଣ ବର୍ଷା ଯୋଗୁଁ ଗଦାଧର ଓ ସାଥି କୋଟିଆରେ ହିଁ ଅଟକି ଯାଇଥିବା ବେଳେ ଆନ୍ଧ୍ର ପ୍ରଶାସନ ଅଧିକାରୀ ଉପର ସେମ୍ବୀ ଠାରେ ଏକ ଚର୍ଚ୍ଚ ମାଧ୍ୟମରେ ଗ୍ରାମସଭାର ଆୟୋଜନ କରି ଫେରି ଯାଇଥିଲେ ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ