ଓଡିଶା

odisha

ETV Bharat / state

ସମନ୍ଵିତ ଚାଷ କରି ଚର୍ଚ୍ଚାରେ ପାତ୍ରପୁଟର ଚାଷୀ ନିତ୍ୟାନନ୍ଦ, ସଂରକ୍ଷଣ କରିଛନ୍ତି 278 ପ୍ରକାର ଦେଶୀ ଧାନ - ସମନ୍ଵିତ ଚାଷ କରି ଚର୍ଚ୍ଚାରେ ପାତ୍ରପୁଟର ଚାଷୀ ନିତ୍ୟାନ

ପାରମ୍ପରିକ ଧାନ ସଂରକ୍ଷଣ ଓ ଜୈବିକ ପ୍ରଣାଳୀରେ ଚାଷ କରି 278 ପ୍ରକାର ଦେଶୀ ଧାନ ସଂରକ୍ଷିତ କରିପାରିଛନ୍ତି ପାତ୍ରପୁଟର ଚାଷୀ ନିତ୍ୟାନନ୍ଦ । ଅଧିକ ପଢ଼ନ୍ତୁ

integrated farming in Koraput
integrated farming in Koraput

By

Published : Aug 10, 2023, 3:05 PM IST

ସମନ୍ଵିତ ଚାଷ କରି ଚର୍ଚ୍ଚାରେ ପାତ୍ରପୁଟର ଚାଷୀ ନିତ୍ୟାନନ୍ଦ

କୋରାପୁଟ:ଦିନେ ପାରମ୍ପରିକ ଧାନ ସଂରକ୍ଷଣ ଓ ଜୈବିକ ପ୍ରଣାଳୀରେ ଚାଷ କାର୍ଯ୍ୟ କରି କୋରାପୁଟ ପାଇଁ ଗର୍ବ ଆଣିଥିଲେ ପଦ୍ମଶ୍ରୀ କମଳା ପୂଜାରୀ । ଏବେ ସେହି ପଥକୁ ଅନୁସରଣ କରୁଛନ୍ତି ପାତ୍ରପୁଟ ଗାଁର ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ନିତ୍ୟାନନ୍ଦ ଲେଙ୍କା । ସମନ୍ଵିତ ଚାଷ କରି ପ୍ରାୟ ଦଶ ଏକର ଜାଗାରେ ବିଭିନ୍ନ ପ୍ରକାର ଧାନ ଚାଷ କରି ଚର୍ଚ୍ଚାକୁ ଆସିଛନ୍ତି ସେ । ଧାନ ଚାଷ କରିବା ସହ ଜୈବିକ ଖତ ବ୍ୟବହାର କରି ଏକର ପିଛା 40 କୁଇଣ୍ଟାଲ ପର୍ଜ୍ୟନ୍ତ ଧାନ ଉତ୍ପାଦନ କରିପାରିଛନ୍ତି ନିତ୍ୟାନନ୍ଦ ଲେଙ୍କା । ଏହି ଚାଷ କରି ସେ ବର୍ଷକୁ 5 ଲକ୍ଷ ଟଙ୍କା ରୋଜଗାର ମଧ୍ୟ କରୁଛନ୍ତି ।

ଉନ୍ନତ ମାନର ଧାନ ଉତ୍ପାଦନ କରିବା ସହ ସେହି ଜମିରେ ଛୋଟଛୋଟ କିଆରି କରି 278 ପ୍ରକାରର ଦେଶୀ ଧାନର ସଂରକ୍ଷଣ କରିପାରିଛନ୍ତି । ତାଙ୍କ ପାଖରେ ସୀତାଭୋଗ, କଳା ଜୀରା, ଜଗନ୍ନାଥ ବଲ୍ଲଭ ଭଳି 14 ପ୍ରକାରର ଦୁର୍ଲଭ ବାସନା ଚାଉଳ ଯୋଗାଉଥିବା ଧାନ ସଂରକ୍ଷିତ ହୋଇ ରହିଛି । ବିଶେଷ କରି ଗୋଟିଏ ଧାନରେ ଦୁଇଟି ଚାଉଳ ଦାନା ରହିଥିବା କୋରାପୁଟ ଅଞ୍ଚଳର ଦେଶୀ ଧାନ ଲବ କୁଶକୁ ମଧ୍ୟ ତାଙ୍କ କିଆରିରେ ଚାଷ କରାଯାଇ ସଂରକ୍ଷିତ କରାଯାଇଛି । ତେବେ ପ୍ରତି ବର୍ଷ ଏହି ସବୁ ଧାନ ଚାଷ କରା ଯାଇ ସଂରକ୍ଷଣ କରାଯାଉଥିବା ଯୋଗୁଁ ବିହନର ଗୁଣାତ୍ମକ ମାନ ବଜାୟ ରହିପାରିଛି ବୋଲି ସେ ମତ ରଖିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ବୃଷ୍ଟିପାତକୁ ଦୃଷ୍ଟିରେ ରଖି ବିହନ, ସାର ଓ କୃଷି ସାମଗ୍ରୀ ଚାଷୀଙ୍କ ନିକଟରେ ପହଞ୍ଚାଇବାକୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ

ସମନ୍ଵିତ ଚାଷ ପ୍ରକ୍ରିୟାରେ ତାଙ୍କ ଜମିକୁ ରାସାୟନିକ ସାର ମୁକ୍ତ କରି ସମ୍ପୂର୍ଣ୍ଣ ରୂପେ ଜୈବିକ ଖତ ଯୋଗାଇବା ପାଇଁ ଅଭିନବ ଉପାୟ ଅବଲମ୍ବନ କରିଛନ୍ତି ନିତ୍ୟାନନ୍ଦ ଲେଙ୍କା । ଗାଈ ମଧ୍ୟ ପାଳନ କରୁଛନ୍ତି । ଗାଈ ଗୋବରରୁ ଗ୍ୟାସ ପାଇବା ସହ ଗୋମୁତ୍ର, ଗୋବର ପାଣି ଓ ଗାଈ ଧୁଆ ପାଣିକୁ ଏକତ୍ର ମିଶାଇ ପାଇପ ଯୋଗେ ଜମି ମଧ୍ୟକୁ ଛାଡି ଦିଆ ଯାଉଛି । ଏଥି ସହିତ ଜିଆ ଖତ ଉତ୍ପାଦନ କରି ନିଜ ଜମିର ଉର୍ବରତାକୁ ବୃଦ୍ଧି କରିବାରେ ସେ ସକ୍ଷମ ହୋଇଛନ୍ତି । ତାଙ୍କ ଠାରୁ ଜିଆ ଖତକୁ କିଣି ନେଇ ଅନ୍ୟ ଚାଷୀ ମଧ୍ୟ ଉପକୃତ ହୋଇଛନ୍ତି ।

ସେହିପରି ଖରା ଦିନେ ନିଜ ଆମ୍ବ ବଗିଚାରୁ ମିଳୁଥିବା ଆମ୍ବକୁ ବିକ୍ରି କରିବା ସହ ଖରାପ ହୋଇଥିବା ପାଚିଲା ଆମ୍ବର ରସ ବାହାର କରି ଗାଈଙ୍କୁ ଖାଇବାକୁ ଦେଇଥାନ୍ତି। ଫଳରେ ଅଧିକ ଦୁଗ୍ଧ ଉତ୍ପାଦନ ହୋଇପାରୁଛି । ସେହିପରି ଆମ୍ବ ଟାକୁଆକୁ ଶୁଖାଇ ସେଥିରୁ ମିଳୁଥିବା କୋଇଲିକୁ ଦାନାରେ ମିଶାଇ ଗାଈ ଗୋରୁଙ୍କୁ ପୌଷ୍ଟିକ ଆହାର ଯୋଗାଇ ଦେଉଛନ୍ତି । ଏକ ପାର୍ଶ୍ବରେ ବାଉଁଶ ଚାଷ କରି ମଧ୍ୟ ସେ ବେଶ ଲାଭବାନ ହୋଇପାରିଛନ୍ତି । ବାଉଁଶ କଣି ଚାଷୀ ନେଇଯାଉଥିବା ବେଳେ ବାଉଁଶ ପତ୍ରକୁ ଜିଆ ଖତ ପ୍ରସ୍ତୁତିରେ ବ୍ୟବହାର କରି ଅତିରିକ୍ତ ଭାବେ ଲାଭବାନ ହୋଇପାରିଛନ୍ତି ସେ । ଏପରି ପଦ୍ଧତିରେ ଚାଷ କରିବା ଫଳରେ ସେ ନିଜେ ଲାଭବାନ ହେବା ସହ ତାଙ୍କ କ୍ଷେତରେ କାର୍ଯ୍ୟ କରୁଥିବା 20ଟି ପରିବାରକୁ କାମ ଯୋଗାଇ ଦେଇଛନ୍ତି ।

ଇଟିଭି ଭାରତ, କୋରାପୁଟ

ABOUT THE AUTHOR

...view details