କୋରାପୁଟ: ଓଡ଼ିଶାର ପ୍ରମୁଖ ସହର ପୁରୀ, କୋଣାର୍କ ଓ ଭୁବନେଶ୍ବରରେ ନାଲକୋ ସହାୟତାରେ ଅନେକ ବିକାଶମୂଳକ କାର୍ଯ୍ୟ ହୋଇଛି । କିନ୍ତୁ ଯେଉଁ ଲୋକମାନେ ନାଲକୋ କମ୍ପାନୀ ପ୍ରତିଷ୍ଠା ପାଇଁ ଭୂମିହରା ହୋଇଥିଲେ ସେମାନେ ଅବହେଳିତ ବୋଲି କହିଛନ୍ତି ଓଡିଶା ରାଜ୍ୟ ଖଣି, ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ।
ନାଲକୋରେ ବିସ୍ଥାପିତଙ୍କ ବିକାଶକୁ ପ୍ରାଥମିକତା ଦେବା ଦରକାର ଜନ ସାଧାରଣଙ୍କ କମ୍ପାନୀ ହେଉଛି ନାଲକୋ । ତେଣୁ କମ୍ପାନୀ ପାଇଁ ଜମିହରା ହୋଇ ଯେଉଁମାନେ କମ୍ପାନୀ ଚାରିପାଖରେ ରହୁଛନ୍ତି ସେମାନଙ୍କ ବିକାଶକୁ ପ୍ରାଥମିକତା ଦିଆଯିବାର ଆବଶ୍ୟକତା ରହିଛି । ଦାମନଯୋଡି ଠାରେ ନୂତନ ଭାବେ ଗଠିତ ହୋଇଥିବା ଆଲୁମିନା ନବନିର୍ମାଣ କର୍ମଚାରୀ ସଂଘର ପ୍ରତିଷ୍ଠା ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଓଡିଶା ରାଜ୍ୟ ଖଣି, ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ନିଜ ବକ୍ତବ୍ୟରେ ଏହା କହିଛନ୍ତି ।
ନାଲକୋ କମ୍ପାନୀ ତଥା ଏଥିରେ ସୃଷ୍ଟି ହେଉଥିବା କର୍ମଚାରୀ ସଂଘ କମ୍ପାନୀର ପାରିପାର୍ଶ୍ବିକ ବିକାଶ ହୋଇପାରିଲେ ହିଁ ଏହା ଅଧିକ ଦିନ ତିଷ୍ଠି ରହିପାରିବ । କମ୍ପାନୀରେ କାର୍ଯ୍ୟରତ ଯୁବ କର୍ମଚାରୀଙ୍କ ଦ୍ବାରା ଗଠିତ ନୂତନ ସଂଘ କମ୍ପାନୀ କିପରି ଭାବେ ସାମଗ୍ରିକ ବିକାଶ ଦିଗରେ ଅଗ୍ରସହ ହୋଇପାରିବ ସେ ନେଇ ଅନ୍ୟାନ୍ୟ ସଂଗଠନ ଓ ଜନସାଧାରଣଙ୍କୁ ସାଥିରେ ନେଇ କାର୍ଯ୍ୟ କରିବା ଦରକାର ବୋଲି ମନ୍ତ୍ରୀ ମତପ୍ରକାଶ କରିଥିଲେ ।
ଏହି ଉତ୍ସବରେ ଅତିଥି ଭାବେ ଯୋଗ ଦେଇ କୋରାପୁଟ ବିଧାୟକ ରଘୁରାମ ପଡାଲ ନାଲକୋ ପରିବେଶ ସୁରକ୍ଷା ଦିଗରେ କରିଥିବା କାର୍ଯ୍ୟର ବର୍ଣ୍ଣନା କରି ଖନନ ପୂର୍ବରୁ ଟାଙ୍ଗରା ଭୂଇଁ ଭାବେ ପଡି ରହିଥିବା ଖଣି ଅଞ୍ଚଳରେ ଏବେ ଘଞ୍ଚ ଜଙ୍ଗଲ ସୃଷ୍ଟି ହୋଇ ବାଘ ଭାଲୁ ବୁଲଥିବା କହିଛନ୍ତି । ନାଲକୋ କମ୍ପାନୀ ପକ୍ଷରୁ କରାଯାଉଥିବା ବିକାଶମୂଳକ କାର୍ଯ୍ୟର ଧାରାକୁ ଉପସ୍ଥାପନ କରିବାକୁ ଯାଇ ପଟ୍ଟାଙ୍ଗି ବିଧାୟକ ପ୍ରୀତମ ପାଢ଼ୀ ଏହାର ବିସ୍ଥାପନ ନୀତିର ପ୍ରସଂଶା କରିଥିଲେ ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ