କୋରାପୁଟ: ମନେ ପଡେ ଗୋଟିଏ ସମୟ । ଯେତେବେଳେ ଠିକ ଭାବରେ ଜଳୁନଥିବା କାଠକୁ ଫୁଙ୍କନଳୀରେ ଫୁଙ୍କି ଫୁଙ୍କି ବେହାଲ ହୋଇପଡୁଥିଲେ ମହିଳା । ଯେତେ ପାଠ ପଢିଲେ ବି ନଳା ଫୁଙ୍କିବା ସତେଯେମିତି ନିତ୍ୟାବଶ୍ୟକ କାମ ହୋଇଯାଇଥିଲା । ବୋଧେ ଏଭଳି କିଛି ଚିତ୍ରକୁ ଅତି ପାଖରୁ ଦେଖି ଲୋ ରେବ, ଲୋ ଚୁଲି, ଲୋ ନିଆ, ତୋ ପାଠ ଚୁଲିକି ଯାଉ ସଂଳ୍ପାପ ଲେଖିଥିଲେ ବ୍ୟାସକବି ଫକୀରମୋହନ ।
ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ ଆଉ ପରବର୍ତ୍ତୀ ସମୟରେ ଆସିଥିଲା ଗୋବର ଗ୍ୟାସ । ବୁଝିଥିଲା ମହିଳାଙ୍କ ଦୁଃଖର କାହାଣୀ । ଆଉ ଏବେ ଏଲପିଜି ସିଲିଣ୍ଡର ଯୁଗରେ ମଧ୍ୟ ଏହାର ଉପକାରିତାକୁ ଭୁଲିପାରିନାହାଁନ୍ତି କୋରାପୁଟ ମଣ୍ଡାଗୁଡାର ଭଗବାନ ପରଜା ।
ଆଠମୁଣ୍ଡ ଗାଈ । ଆଉ ଏହାର ଗୋବରରେ ଦୀର୍ଘ 5ବର୍ଷ ହେଲା ଗୋବର ଗ୍ୟାସ ବ୍ୟବହାର କରିଆସୁଛନ୍ତି ଭଗବାନ । ଗାଈଠୁ କ୍ଷୀର ମୁଳୁଛି । ଆଉ ଗୋବର ଗ୍ୟାସ ଚୁଲାରେ ରୋଷେଇବାସ ବି ହୋଇଯାଉଛି । ନା ଏଲପିଜି ଗ୍ୟାସ ପାଇଁ ଟଙ୍କା ଗଣିବାର ଅଛି ନା ବିଲରେ ପକାଯାଉଥିବା ଗୋବରରେ ବିଭିନ୍ନ ପ୍ରକାରର ଘାସ ମଞ୍ଜି ରହି ଯାଉଥିବା ଚିନ୍ତା ରହିଛି ।
ଗୋବରକୁ ସିଧାସଳଖ ଖତ କରି ଜମିରେ ପକାଇଲେ ଅନାବନା ଗଛ ଉଠିବାର ସମ୍ଭାବନା ବେଶ ଅଧିକ । କାହିଁକିନା ଗାଈ ଯେଉଁ ଘାସ ଖାଇଥାଏ, ସେ ଘାସର ମଞ୍ଜି ଗୋବର ସହିତ ବାହାରିଯାଇ ସିଧାସଳଖ ବିଲରେ ପଡିଥାଏ । କିନ୍ତୁ ଗୋବରଗ୍ୟାସ ବ୍ୟବହୃତ ହେଲା ପରେ ଗୋବରରେ ଥିବା ଅନାବନା ଗଛର ମଞ୍ଜିସବୁ ନଷ୍ଟ ହୋଇଯାଏ । ଯାହାଫଳରେ ଏଠାରୁ ବାହାରୁଥିବା ଖତ ଜମିରେ ପକାଇଲେ ଅନାବନା ଗଛ ଉଠିନଥାଏ । କାଠ ଚୁଲାରେ ରାନ୍ଧି ଅତିଷ୍ଠ ହେଉଥିବା କିଛି ଗ୍ରାମବାସୀ ଏବେ ଭଗବାନର ସଫଳ ପ୍ରୟୋଗ ଦେଖି ନିଜ ଘରେ ଗୋବର ଗ୍ୟାସ ପ୍ରକଳ୍ପ ଆରମ୍ଭ କରିବା ପାଇଁ ଯୋଜନା କଲେଣି । ଏଲପିଜି ଯୁଗରେ ଏହି ଗୋବର ଗ୍ୟାସ ମଣିଷ ଅନ୍ୟମାନଙ୍କ ପାଇଁ ଉଦାହରଣ ।
କୋରାପୁଟରୁ ସି.ଏଚ. ଶାନ୍ତାକାର, ଇଟିଭି ଭାରତ