କୋରାପୁଟ: ଆଜି ମାଣ୍ଡିଆ ଦିବସ । ରାଜ୍ୟ ସରକାରଙ୍କ ଓଡିଶା ମିଲେଟ ମିଶନ ପକ୍ଷରୁ ପ୍ରଥମ ଥର ମାଣ୍ଡିଆ ଦିବସ(Millets Day) ପାଳନ କରୁଛି ଓଡିଶା । ଏନେଇ ଆଜି ରାଜଧାନୀରେ ରାଜ୍ୟସ୍ତରୀୟ ମାଣ୍ଡିଆ ଦିବସ ଉତ୍ସବର ଆୟୋଜନ କରାଯାଇଥିଲା । ମିଲେଟର ବ୍ୟାପକ ଚାଷ କରିବା ସହ , ମିଲେଟ ଶସ୍ୟ ସଂଗ୍ରହ କରିବା କ୍ଷେତ୍ରରେ ସର୍ବୋତ୍ତମ କାର୍ଯ୍ୟ କରିଛି କୋରାପୁଟ ଜିଲ୍ଲା । ଏନେଇ ଆଜି ଆୟୋଜିତ ରାଜ୍ୟ ସ୍ତରୀୟ ମାଣ୍ଡିଆ ଦିବସ ଉତ୍ସବରେ ମାଣ୍ଡିଆ ଉତ୍ପାଦନରେ ସର୍ବଶ୍ରେଷ୍ଠ ଜିଲ୍ଲା ଭାବେ କୋରାପୁଟକୁ ସମ୍ମାନିତ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ ଅବଦଲ ଅକ୍ତର ।
ମାଣ୍ଡିଆ ଉତ୍ପାଦନରେ ଆଗରେ କୋରାପୁଟ ଏଥିସହ ମିଲେଟକୁ ପ୍ରୋତ୍ସାହିତ କରୁଥିବା ଯୋଗୁଁ ଏହି ପ୍ଲାଟଫର୍ମରେ କୋରାପୁଟ ଜିଲ୍ଲାରେ କାର୍ଯ୍ୟରତ ମିଲେଟ ବିଶେଷଜ୍ଞ ତାପସ ରାଏଙ୍କୁ ଶ୍ରେଷ୍ଠ ମିଲେଟ ସମ୍ପ୍ରସାରଣ ଅଧିକାରୀ, ମାଣ୍ଡିଆ ଚା ତିଆରି କରି ଜାତୀୟ ସ୍ତରରେ ସୁନାମ ଆଣିଥିବା ଜୟପୁରର ଜଗନ୍ନାଥଙ୍କୁ ସର୍ବୋତ୍ତମ ମିଲେଟ ଉଦ୍ୟୋଗୀ ଏବଂ ଦୁଇ ଜଣ ମାଣ୍ଡିଆ ଚାଷୀ ନବୀନ ନାୟକ ଓ ରାଇମତି ଘିଉରିଆଙ୍କୁ ଉତ୍ତମ ଚାଷୀ ଭାବେ ରାଜ୍ୟ ସ୍ତରରେ ସମ୍ମାନିତ କରାଯାଇଛି ।
ଏହା ମଧ୍ୟ ପଢନ୍ତୁ-Archana Nag Case: ED ରେଡ୍ ପରେ ମୁହଁଖୋଲିଲେ ରାଜନୈତିକ ଦଳ
ରାଜ୍ୟର କୃଷକ ଯେଉଁମାନେ ମିଲେଟକୁ ପରବର୍ତ୍ତୀ ସ୍ତରକୁ ନେଉଛନ୍ତି ଏବଂ ସେମାନଙ୍କର ପୂର୍ଣ୍ଣ ଉଦ୍ୟମ କରି ଆରମ୍ଭରୁ ଏହି ମିଶନ ସହିତ ଜଡିତ ଅଛନ୍ତି ଏହି ପୁରସ୍କାର ସେମାନଙ୍କ ଉଦ୍ଦେଶ୍ୟରେ ସମର୍ପିତ ବୋଲି ତାପସ ରାଏ ମତ ପ୍ରକାଶ କରିଛନ୍ତି । କୋରାପୁଟ ଅଞ୍ଚଳରେ ମାଣ୍ଡିଆ , ସୁଆଁ ଭଳି ବିଭିନ୍ନ ମିଲେଟ୍ ଶସ୍ୟ ଉପରେ ପ୍ରାଧାନ୍ୟତା ବୃଦ୍ଧି ପାଇଥିବାରୁ କୋରାପୁଟରେ ଆୟୋଜିତ ମାଣ୍ଡିଆ ଦିବସର ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ଚାଷୀ ଚନ୍ଦ୍ର ପିଟିଆ ଓ ଉଦ୍ୟୋଗୀ ସନ୍ତୋଷ ଖେମୁଣ୍ଡୁ ମତ ରଖିଥିଲେ ।
ଏନେଇ ଜିଲ୍ଲାପାଳ କହିଛନ୍ତି , ''ଆଜି ଭୁବନେଶ୍ବରରେ ମିଲେଟ ମିଶନ ପରଫର୍ମାନ୍ସ ପାଇଁ କୋରାପୁଟ ଜିଲ୍ଲା ସମ୍ବର୍ଦ୍ଧିତ ହୋଇଛି । ମିଲେଟ ମିଶନ ମାଧ୍ୟମରେ ଆମେ ଯେଉଁ ମାଣ୍ଡିଆ ସଂଗ୍ରହ କରୁଛୁ ଚାଷୀଙ୍କ ଠାରୁ ଚାଷୀ ମାନେ ମଧ୍ୟ ପ୍ରୋତ୍ସାହିତ ହୋଇଛନ୍ତି ।''
ଏନେଇ ଜଣେ ଚାଷୀ କହିଛନ୍ତି, ''ମାଣ୍ଡିଆ ଦିବସ ଚାଷୀ ମାନଙ୍କୁ ସହଯୋଗ କରିବ । କାହିଁକି ନା ଅନେକ ଚାଷୀ ଏବେ ଏହି ଚାଷ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ମିଲେଟ ମିଶନ ଯୋଗୁଁ ଚାଷୀ ମାନେ ଉନ୍ନତ ଜ୍ଞାନକୌଶଳ ପାଇପାରୁଛନ୍ତି । ଫଳରେ ଭଲ ଅମଳ ହେଉଛି । ବର୍ଷା ଦିନରେ ୪ ମାସ ଧରି ମାଣ୍ଡଆ ଚାଷ କରାଯାଇଥାଏ ।''
ଇଟିଭି ଭାରତ, କୋରାପୁଟ