କୋରାପୁଟ:କୋଟିଆରେ ପୁଣି ଆନ୍ଧ୍ରର ଅନୁପ୍ରବେଶ । କିଛିଦିନ ପୂର୍ବେ କୋଟିଆର ବାମ ଦିଗ ଆନ୍ଧ୍ର ସୀମାନ୍ତରେ ଥିବା ଫାଟୁସିନେରୀ ପରେ ଏବେ ଆନ୍ଧ୍ର ସୀମାକୁ ଲାଗିଥିବା ନେରେଡିବାଲାସା ନିକଟସ୍ଥ ଧୂଳିପଦରରେ ବିଶାଳ ସ୍ୱାସ୍ଥ୍ୟ ଶିବିରର ଆୟୋଜନ କରିଛି ଆନ୍ଧ୍ର । ଓଡ଼ିଶାର ନରମ ଭାବ ଯୋଗୁଁ ଆନ୍ଧ୍ର ବାରମ୍ବାର ଅନୁ ପ୍ରବେଶ କରି ବିଭିନ୍ନ କାର୍ଯ୍ୟକ୍ରମ ଜାରି ରଖିଛି ।
ଗତକାଲି(ଶୁକ୍ରବାର) ଧୂଳିପଦର ଠାରେ ଆୟୋଜିତ ସ୍ୱାସ୍ଥ୍ୟ ଶିବିରରେ ସାଲୁରରୁ ଆସିଥିବା ଡାକ୍ତରୀ ଦଳ ସହ ଆନ୍ଧ୍ରପ୍ରଦେଶ ଏସଟି କମିଶନ ଅଧ୍ୟକ୍ଷ ଡ. ଡିଭିଜି ଶଙ୍କର ରାଓ ସ୍ୱାସ୍ଥ୍ୟ ଶିବିର ପରିଦର୍ଶନ କରି ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ । ଏହାସହ କୋଟିଆ ପଞ୍ଚାୟତବାସୀଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଇଥିବା ଯୋଗୁଁ ଅଂଶଗ୍ରହଣକାରୀ ଡାକ୍ତର ଏବଂ ସମସ୍ତ ସହକର୍ମୀଙ୍କୁ ପ୍ରଶଂସା କରିଥିଲେ । ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀଙ୍କ ସ୍ୱାସ୍ଥ୍ୟସେବା ଯୋଗାଇବାର ସଂକଳ୍ପ ଗରିବ ଲୋକଙ୍କ ଆଖିରେ ଥିବା ଆଶାକୁ ପରିପୂର୍ଣ୍ଣ କରୁଥିବା ବେଳେ ଜଗାନ୍ନା ଆରୋଗ୍ୟ ସୁରକ୍ଷା କାର୍ଯ୍ୟକ୍ରମ ମାଧ୍ୟମରେ ସୁସ୍ଥ ଆନ୍ଧ୍ରପ୍ରଦେଶ ହାସଲ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହା ସହ କୋଟିଆ ସମେତ ରାଜ୍ୟରେ କୌଣସି ପରିବାର ରୋଗରେ ପ୍ରଭାବିତ ହେବା ଉଚିତ୍ ନୁହେଁ । ରୋଗରେ ପୀଡିତ ଲୋକଙ୍କୁ ଭଲ ଚିକିତ୍ସା ଯୋଗାଇଦେବା ଇଚ୍ଛା ସହିତ ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ବୋଲି ଶଙ୍କର ରାଓ ମତ ରଖିଥିଲେ ।
ସେପଟେ ଫାଟୁସିନେରୀ ଓ ଧୂଳିପଦରରେ ଆନ୍ଧ୍ର ସରକାରଙ୍କ ଦ୍ବାରା ଆୟୋଜିତ ସ୍ୱାସ୍ଥ୍ୟ ଶିବିରରେ ଜନତାଙ୍କ ଭିଡ଼କୁ ଦେଖିଲେ ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ସେବା କୋଟିଆରେ ଥିବା ଚିକିତ୍ସାଳୟରେ ସୀମିତ ହୋଇଯାଇଥିବା ଭଳି ଅନୁଭବ ହେଉଛି । ବିଗତ ଦିନ ଗୁଡିକରେ ଆନ୍ଧ୍ରପ୍ରଦେଶ ଦ୍ୱାରା ଓଡି଼ଶା ମାଟିରେ ଆୟୋଜିତ ହେଉଥିବା ଏପରି ସ୍ୱାସ୍ଥ୍ୟ ଶିବିର ହେଉ ବା ଅନ୍ୟ କୌଣସି ଅନୁପ୍ରବେଶକୁ ଓଡି଼ଶା ସରକାରଙ୍କ ଦ୍ବାରା ତିବ୍ର ବିରୋଧ କରାଯାଉଥିଲା । ଏପରିକି କିଛି ମାସ ପୂର୍ବେ ଆନ୍ଧ୍ର ସୀମାନ୍ତର ନାରେଡିବାଲସା ପଟୁ 104 ଗାଡି ଧରି କୋଟିଆ ମଧ୍ୟକୁ ଆନ୍ଧ୍ର ଥୋନମ୍ ପିଏଚସିର ଡା.ଏ.ଅଜୟ ଓ ତାଙ୍କ ସ୍ବାସ୍ଥ୍ୟ ଟିମ୍ ପ୍ରବେଶ କରୁଥିଲା ବେଳେ କୋଟିଆରେ ଅବସ୍ଥାପିତ ଓଡ଼ିଶା ପୋଲିସ ତାଙ୍କୁ ଅଟକାଇ ଫେରାଇ ଦେଇଥିଲେ । କୋଟିଆ ପଞ୍ଚାୟତର ପ୍ରତିଟି ଜାଗା ଓଡ଼ିଶାର ଏବଂ ସେଥିରେ ଆନ୍ଧ୍ର ଅଧିକାରୀଙ୍କ ଅନୁପ୍ରବେଶ କୌଣସି ଭାବରେ ଗ୍ରହଣୀୟ ନୁହେଁ ବୋଲି ସେମାନଙ୍କୁ ରୋକଠୋକ ଶୁଣାଇ ଦିଆଯାଇଥିଲା ।