କୋରାପୁଟ: କମ ସମୟରେ ହେବ ଅଧିକ ଅମଳ । ଚାଷୀଙ୍କ ଉତ୍ପାଦନ କ୍ଷେତ୍ରରେ କମ ସମୟରେ ଅଧିକ ଫସଲ ଉତ୍ପାଦନ ଅମଳ ପାଇଁ ସରକାରଙ୍କ ପଦକ୍ଷପ । ଏହାକୁ ନେଇ କୋରାପୁଟ ଜିଲ୍ଲା ଜୟପୁର ସହରର ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ପରିସରରେ ଦକ୍ଷିଣାଞ୍ଚଳ କୃଷି ମହୋତ୍ସବ ଆରମ୍ଭ ହୋଇଛି । ସୋମବାର ଦିନ ଆୟୋଜିତ ଦକ୍ଷିଣାଞ୍ଚଳ କୃଷି ମହୋତ୍ସବର ପ୍ରଥମ ଦିନରେ 10 କୋଟି ଟଙ୍କାର ଯନ୍ତ୍ରାଂଶ ପାଇଁ ବୁକିଂ ହୋଇଥିବା କୃଷି ନିର୍ଦେଶକ ପ୍ରେମଚନ୍ଦ ଚୌଧୁରୀ ଜଣାଇଛନ୍ତି ।
ରାଜ୍ୟ ସରକାର ଚାଷୀଙ୍କ ଉତ୍ପାଦନ ଦୃଷ୍ଟିରେ ରଖି ଚାଷୀଙ୍କ ବିକାଶ ନିମନ୍ତେ ଯାନ୍ତ୍ରିକ ସୁବିଧା ଯୋଗାଇଦେବା ପାଇଁ ଆଞ୍ଚଳିକ କୃଷି ଯାନ୍ତ୍ରିକ ମେଳା ଆୟୋଜିତ କରାଯାଇଛି ବୋଲି କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଥିଲେ । ଚାଷୀ ବିଭିନ୍ନ ଯନ୍ତ୍ରାଂଶ ବ୍ୟବହାର କରି ଅଧିକ ଉତ୍ପାଦନ କରି ଅଧିକ ଆୟ କରିପାରିବ ଓ ଏ ପର୍ଯ୍ୟନ୍ତ ଉତ୍ପାଦନ ଓ ବିକ୍ରିବଟା କ୍ଷେତ୍ରରେ ଅତୀତରେ ଥିବା ସମସ୍ତ ସମସ୍ୟା ଗୁଡିକର ସମାଧାନ ହେବ ।
ତେବେ ଗରିବ ଲୋକଙ୍କ ଠାରୁ ବିଭିନ୍ନ ମାର୍ଗରେ ନିଆଯାଉଥିବା ଖଜଣାକୁ ବ୍ୟବହାର କରି ରାଜ୍ୟ ସରକାର ଏପରି ମେଳା ଆୟୋଜନ କରିଥିବା କହିଛନ୍ତି ବିଧାୟକ ତାରାପ୍ରସାଦ ବାହିନୀପତି । 2024ର ସାଧାରଣ ନିର୍ବାଚନ ପାଇଁ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ପ୍ରଚେଷ୍ଟା କରୁଛନ୍ତି ବୋଲି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଅଭିଯୋଗ କରିଛନ୍ତି । ଅଣ୍ଡା ଠାରୁ ଆରମ୍ଭ କରି କ୍ଷୀର, କଦଳୀ , ମାଛ ଓ କୁକୁଡ଼ା ପର୍ଯ୍ୟନ୍ତ ଓଡିଶାର ଲୋକେ ଆନ୍ଧ୍ର ଉପରେ ନିର୍ଭର କରୁଥିବା ବେଳେ ଓଡ଼ିଶାର ଚାଷୀ କିଭଳି ଲାଭବାନ ହେଉଛି ତାହା ଏକ ବିରାଟ ପ୍ରଶ୍ନ ବୋଲି ବାହିନୀପତି ମତ ରଖିଛନ୍ତି ।