କୋରାପୁଟ: ଇଚ୍ଛାଶକ୍ତି ଆଗରେ ହାର ମାନିଛି ବାର୍ଦ୍ଧକ୍ୟ । ବୟସ ଗଲାଣି ହେଲେ କାମ କରିବାର ନିଶା ଏବେବେ ସତେଜ ହୋଇ ରହିଛି । ପରିଣତ ବୟସରେ ସକ୍ଷମ ଆଉ ପାରଙ୍ଗମ । ଖଟିଖିଆ ଲୋକଙ୍କୁ କେବେ ବସିବାକୁ ଭଲ ଲାଗେନି । ଏକଥାକୁ ପ୍ରମାଣିତ କରି ଦେଖାଇଛନ୍ତି ପଦ୍ମା କିରସାନି ଓ ମଇନା ମୁଦୁଲି । ଚାଷ କାମ କରିବାକୁ ଏବେ ବି ଦୁହେଁ ଫିଟ୍ । ଏ ବୟସରେ ଆଳସ୍ୟକୁ ଭୁଲାଇ ଅତି ଚଞ୍ଚଳତାର ସହ ଦୁହେଁ କଠିନ ପରିଶ୍ରମ କରି ଚାଲୁଛନ୍ତି ।
କୋରାପୁଟ ଜିଲ୍ଲା ମାଛରା ଗ୍ରାମର ନିବାସୀ ପଦ୍ମା କିରସାନି ଓ ମଇନା ମୁଦୁଲି । ପଦ୍ମାଙ୍କୁ ୯୦ ଛୁଇଁଲାଣି । ଆଉ ମଇନାଙ୍କୁ ୮୦ । ବୟସର ଅପରାହ୍ନରେ ପରିବାର ଉପରେ ବୋଝ ନହୋଇ ଚାଷ କାମ ସହ ନିଜ କାମ କରୁଛନ୍ତି । ଯାହା ଆପଣ ଦେଖି ଆଶ୍ଚର୍ଯ୍ୟ ହୋଇଯିବେ । ସକାଳୁ ଉଠି ନିଜ ନିତ୍ୟକର୍ମ ସାରି ଦୁହେଁ କ୍ଷେତକୁ ଚାଲିଯାନ୍ତି । ଧାନ ରୁଆ ଠାରୁ ଆରମ୍ଭ କରି ଘାସ ସଫା ଭଳି ସବୁ କାମ କରୁଛନ୍ତି । କାରଣ କାମରୁ ଦୁହିଁଙ୍କୁ ଆତ୍ମ ସନ୍ତୋଷ ମିଳିଥାଏ । ଦିନେ କାମ ନକଲେ ଶରୀର ଅସୁସ୍ଥ ଅନୁଭବ ହୁଏ ବୋଲି ପଦ୍ମା କହିଛନ୍ତି । ପିଲାମାନେ ସବୁ ସୁବିଧା ଯୋଗାଇ ଦେଇଥିଲେ ମଧ୍ୟ ସେମାନେ କାମ କରନ୍ତି । ପ୍ରତିତିନ କାମ କଲେ ହାଲିଆ ଲାଗେ ନାହିଁ କି କୌଣସି ରୋଗ ମାଡ଼େ ନାହିଁ ।
ଏନେଇ ମଇନା କହିଛନ୍ତି, "ଆଦିବାସୀ ମହିଳା କାର୍ଯ୍ୟକୁ ଏତେ ଗଭୀର ଭାବରେ ଗୁରୁତ୍ୱ ଦିଅନ୍ତି ଯେ, ସେମାନେ ଜୀବନସାରା ଏହା ଜାରି ରଖନ୍ତି । ପରିଶ୍ରମ ପ୍ରତି ସେମାନଙ୍କର ଉତ୍ସର୍ଗତା ଏକ ଅନନ୍ୟ ସାଂସ୍କୃତିକ ଦୃଷ୍ଟିକୋଣକୁ ପ୍ରତିଫଳିତ କରେ । ଆଦିବାସୀ ମହିଳାମାନେ କାର୍ଯ୍ୟର ଧାରଣାକୁ ପୂଜାପାଠ ଭାବରେ ଗ୍ରହଣ କରିଆସୁଛନ୍ତି । ଆଦିବାସୀଙ୍କ ଜୀବନ ତାଙ୍କ ଚାରିପାଖେ ଥିବା ପ୍ରକୃତି ଏବଂ ସେମାନଙ୍କ ସମ୍ପ୍ରଦାୟ ସହିତ ଜଡିତ ।"