କୋରାପୁଟ: ଗଞ୍ଜେଇ ଥିବା ସନ୍ଦେହରେ ବିଳମ୍ବିତ ରାତିରେ ଗ୍ରାମରେ ଚଢାଉ କରିଥିଲା ପୋଲିସ । ପୋଲିସକୁ ଅଟକ ରଖି ମାଡ ମାରିଲେ ଗ୍ରାମବାସୀ । ଏଭଳି ଘଟଣା ଘଟିଛି କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ଅନ୍ତର୍ଗତ ମାଟିଖାଲ ଗାଁରେ । ଗ୍ରାମବାସୀଙ୍କ ଅଭିଯୋଗ ମୁତାବକ, ଗତକାଲି ରାତିରେ ମାଲକାନଗିରି ପୋଲିସ ଗ୍ରାମରେ ଗଞ୍ଜେଇଥିବା ସନ୍ଦେହରେ ପ୍ରବେଶ କରିଥିଲା । ପ୍ରଥମେ ଗାଁର କିଛି ଲୋକଙ୍କ ଘରର କବାଟକୁ ବାଡାଇ ସହ ଘର ଭିତରେ ପଶି ଲୋକଙ୍କୁ ଭୟଭୀତ କରିଥିଲେ । ଯାହାକୁ ନେଇ ଗ୍ରାମବାସୀ ଆତଙ୍କୀତ ହୋଇପଡିଥିଲେ ।
ଏହାକୁ ନେଇ ଗ୍ରାମବାସୀ ଏକତ୍ରିତ ହୋଇ ଅସ୍ତ୍ରଶସ୍ତ୍ର ଧରି ପ୍ରତିବାଦ କରିବାରୁ ଖୋଲା ଆକାଶରେ ୮ରୁ ୧୦ଟି ଗୁଳି ଚଳାଇଥିଲା ପୋଲିସ । କିନ୍ତୁ ଗୁଳି ଶବ୍ଦରେ ଭୟଭିତ ନହୋଇ ଗ୍ରାମବାସୀ ପ୍ରତିବାଦ ଜାରି ରଖିବା ଫଳରେ ପୋଲିସ କର୍ମଚାରୀ ଗ୍ରାମବାସୀଙ୍କ ଆକ୍ରମଣରେ ଛତ୍ର ଭଙ୍ଗ ଦେଇଥିଲେ । ତେବେ ଜଣେ ପୋଲିସ କର୍ମଚାରୀ ଗାଁ ଲୋକଙ୍କୁ ଗାଁ ଲୋକେ କାବୁ କରିନେଇ ମାଡମାରିବା ସହ ୨ଟି ବାଇକକୁ ଜବତ କରିଥିଲେ । ଆଜି ଭୋର ସମୟରେ ପୋଲିସ ପୁଣି ଘଟଣା ସ୍ଥଳକୁ ଯାଇ ଗ୍ରାମବାସୀଙ୍କ ନିକଟରୁ ଅଟକ ପୋଲିସ କର୍ମଚାରୀଙ୍କୁ ଉଦ୍ଧାର କରିଥିଲେ ।