ଓଡିଶା

odisha

ETV Bharat / state

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ, 15 ଗିରଫ - କୋରାପୁଟ ଟାଉନ ପୋଲିସ

ଗତକାଲି କୋରାପୁଟ ଇନ୍ଦିରା କଲୋନୀରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା । ଏହାକୁ ନେଇ ଅଭିଯୋଗ ପରେ 15 ଜଣଙ୍କୁ ଗିରଫ କରିଛି ପୋଲିସ । ଅଧିକ ପଢନ୍ତୁ

group clash
group clash

By

Published : Apr 5, 2023, 3:17 PM IST

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ

କୋରାପୁଟ : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ । ସହରର ଇନ୍ଦିରା କଲୋନୀ ଓ ପରଜା ସାହିର ଦୁଇ ଯୁବଗୋଷ୍ଠୀଙ୍କ ମଧ୍ୟରେ କୌଣସି କାରଣକୁ ନେଇ ସଂଘର୍ଷ ଆରମ୍ଭ ହୋଇଥିଲା । ଏହି ଗୋଷ୍ଠୀ ସଂଘର୍ଷରେ 4ଜଣ ଆହତ ହୋଇଥିବା ସୂଚନା ମିଳିଛି । ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ କୋରାପୁଟ ଟାଉନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗତକାଲି 15 ଜଣଙ୍କୁ ଗିରଫ କରିଥିବା ବେଳେ ଆଉ ପାଞ୍ଚ ଜଣ ନାବାଳକଙ୍କୁ ବାଳ ସୁଧାର ଗୃହକୁ ପଠାଇଥିବା ଜଣା ପଡିଛି ।

ଏନେଇ ଗଣମାଧ୍ୟମକୁ ସୂଚନା ଦେଇ ଏସଡିପିଓ କହିଛନ୍ତି, "ଇନ୍ଦିରା କଲୋନୀ ଏବଂ ପରଜା ସାହିର ଯୁବକଙ୍କ ମଧ୍ୟରେ ଅନେକ ଦିନ ଧରି ତିକ୍ତତା ଲାଗି ରହିଥିଲା । ଗତକାଲି ଏହା ଉଗ୍ର ରୂପ ଧାରଣ କରିଥିଲା । ଉଭୟ ଗୋଷ୍ଠୀ ପକ୍ଷରୁ ଏନେଇ ପରସ୍ପର ବିରୁଦ୍ଧରେ ତିନୋଟି ମାମଲା ରୁଜୁ ହୋଇଥିଲା । ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଟାଉନ ପୋଲିସ ଉଭୟ ସାହିକୁ ବାରମ୍ବାର ଯାଇଥିଲେ । ହେଲେ ପରଜା ସାହିରୁ କିଛି ବ୍ୟକ୍ତି ଗାନ୍ଧୀନଗରର ମଶାଣିରେ ମୃତଦେହ ଦାହ ପାଇଁ ଯାଇଥିବା ବେଳେ ଇନ୍ଦିରା କଲୋନୀର କିଛି ଲୋକ ସେମାନଙ୍କ ସହ ଝଗଡ଼ା କରି ସେମାନଙ୍କୁ ଅପମାନିତ କରିଥିଲେ ।"

ଏକ ଛୋଟ ଗୋଷ୍ଠୀରେ ଥିବାରୁ ପରଜା ସାହିର ଯୁବକମାନେ ସେଠାରୁ ଫେରି ଆସିଥିଲେ । ଏଥିସହ ଇନ୍ଦିରା କଲୋନୀରୁ ଆସିଥିବା ଲୋକଙ୍କ ଉପରେ ଆକ୍ରମଣ କରିବା ପାଇଁ ଏକ ସଭା ଆୟୋଜନ କରିଥିଲେ । ଆକ୍ରମଣ କରିବା ପାଇଁ ଠେଙ୍ଗା, ଲାଠି ଏବଂ ଖଣ୍ଡା ଭଳି ବିଭିନ୍ନ ପ୍ରକାରର ଅସ୍ତ୍ରଶସ୍ତ୍ର ଧରି ଆକ୍ରମଣ କରିବାକୁ ଯାଇଥିବା ବେଳେ ସେମାନଙ୍କୁ ଦେଖି ଇନ୍ଦିରା କଲୋନୀର ବାସିନ୍ଦା କଲୋନୀ ଛାଡି ବିଭିନ୍ନ ସ୍ଥାନକୁ ପଳାଇଥିଲେ । ସନ୍ଧ୍ୟାରେ ଟିକିରା ସାହିରୁ କିଛି ବ୍ୟକ୍ତିଙ୍କ ସହଯୋଗରେ ଇନ୍ଦିରା କଲୋନୀ ବାସିନ୍ଦା ପରଜା ସାହି ପର୍ଯ୍ୟନ୍ତ ଯାଇ ଆକ୍ରମଣ କରିଥିଲେ । ଫଳରେ 4ଜଣ ଆହାତ ହୋଇଥିଲେ ।

ସ୍ଥାନୀୟ ପୋଲିସର ତ୍ୱରିତ ତଦନ୍ତ ଆରମ୍ଭ କରି ହିଂସା ଘଟାଇଥିବା ଅଭିଯୁକ୍ତଙ୍କୁ ଖୋଜି ଗିରଫ କରିଛି । ଏହାକୁ ନେଇ ପୋଲିସକୁ ସାଧୁବାଦ ମିଳିଛି । ଗୋଷ୍ଠୀ ସଂଘର୍ଷ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ତେବେ ଭବିଷ୍ୟତରେ କୋରାପୁଟ ସହରରେ ଏପରି ହିଂସା ଘଟଣାର ପୁନରାବୃତ୍ତି ନହେବ ତାହାକୁ ନେଇ ପୋଲିସ ଏକ ଶାନ୍ତି କମିଟି ଗଠନ କରି ସ୍ଥାନୀୟ ଅଞ୍ଚଳରେ ଶାନ୍ତି ସୁନିଶ୍ଚିତ କରିବାକୁ ଯୋଜନା କରିଛି ।

ଇଟିଭି ଭାରତ, କୋରାପୁଟ

ABOUT THE AUTHOR

...view details