କୋରାପୁଟ: ଜୋର ଧରିଲା ଆଦିବାସୀ ମାନ୍ୟତା ଦାବି । ପୂର୍ବରୁ ଜିଲ୍ଲାର ଦୂରୁଆ ଓ ରାୟଗଡା ଝୋଡିଆ ଜନଜାତିକୁ ସରକାରୀ ଭାବେ ଆଦିବାସୀ ମାନ୍ୟତା ପ୍ରଦାନ ନେଇ ଦାବି ହୋଇ ଆସୁଥିବା ବେଳେ ଏଥିରେ ସାମିଲ ହୋଇଛନ୍ତି ମାଳି ସଂପ୍ରଦାୟ । କୋରାପୁଟର ମାଳି ସଂପ୍ରଦାୟର ଲୋକେ ଆଦିବାସୀ ମାନ୍ୟତା ଦାବି ନେଇ ଏବେ ସ୍ବର ଉଟାଇଛନ୍ତି । ଏନେଇ ଗତ ଶୁକ୍ରବାର ରାସ୍ତାକୁ ଓହ୍ଲାଇଥିଲେ ମାଳି ସଂପ୍ରଦାୟ । ଏହାପରେ କୋରାପୁଟରେ ଏକାଠି ହୋଇ ଜିଲ୍ଲାପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଥିଲେ ।
ଅନ୍ୟ ଆଦିବାସୀ ଜନଜାତି ଲୋକଙ୍କ ଭଳି ସ୍ଵାଧୀନତା ପୂର୍ବରୁ ମାଳି ମାନେ ମଧ୍ୟ ସମାନ ସୁଯୋଗ ସୁବିଧା ପାଇଆସୁଥିଲେ । କିନ୍ତୁ ସ୍ଵାଧୀନତା ପରେ ବିଭିନ୍ନ ରାଜ୍ୟରେ ମାଳି ମାନଙ୍କୁ ଆଦିବାସୀ ମାନ୍ୟତା ଦିଆଯାଇଥିବା ବେଳେ ଓଡ଼ିଶାରେ ବ୍ୟତିକ୍ରମ ଦେଖାଦେଇଛି ବୋଲି ମାଳି ସମାଜ ଅଭିଯୋଗ କରିଛି ।