ଓଡିଶା

odisha

ETV Bharat / state

ଶୁଣିଲାନି ପ୍ରଶାସନ, ଚାନ୍ଦା ଆଦାୟ କରି ରାସ୍ତା ନିର୍ମାଣ କଲେ ଗ୍ରାମବାସୀ - ଗାଁରେ ଚାନ୍ଦା କରି ରାସ୍ତା କଲେ ଗ୍ରାମବାସୀ

ଗାଁରେ ରାସ୍ତାଟିଏ ପାଇଁ ବାରମ୍ବାର ପ୍ରାଶାସନର ଦ୍ବାରସ୍ତ ହୋଇଥିଲେ କିନ୍ତୁ ପ୍ରଶାସନ କିମ୍ବା ଜନପ୍ରତିନିଧି ଶୁଣିଲେନି । ଶେଷରେ ଗ୍ରାମବାସୀ ଚାନ୍ଦା ଆଦାୟ କରି ତିଆରି କଲେ ରାସ୍ତା । ଏ ଭଳି ଘଟଣା ଦେଖିବାକୁ ମିଳିଛି ସେମିଳିଗୁଡା ବ୍ଲକର ଲୁଙ୍ଗୁରୀ ଗ୍ରାମରେ । ଅଧିକ ପଢନ୍ତୁ...

lunguri village make own road in koraput
ଶୁଣିଲାନି ପ୍ରଶାସନ, ଗାଁରେ ଚାନ୍ଦା କରି ରାସ୍ତା କଲେ ଗ୍ରାମବାସୀ

By

Published : Mar 31, 2021, 9:19 AM IST

କୋରାପୁଟ: ଗାଁକୁ ନାହିଁ ରାସ୍ତା । ଅନେକବାର ପ୍ରଶାସନ ପାଖରେ ନେହୁରା ହୋଇଛନ୍ତି ଗ୍ରାମବାସୀ । କିନ୍ତୁ ଅପେକ୍ଷା କରିବାର ସୀମା ଟପିଯିବାରୁ ଗ୍ରାମବାସୀ ନିଜ ରାସ୍ତା ନିଜେ ନିର୍ମାଣ କରିବା ଆରମ୍ଭ କରିଛନ୍ତି । ଏ ଭଳି ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ସେମିଳିଗୁଡା ବ୍ଲକ ଲୁଙ୍ଗୁରୀ ଗ୍ରାମରେ ।

ଶୁଣିଲାନି ପ୍ରଶାସନ, ଗାଁରେ ଚାନ୍ଦା କରି ରାସ୍ତା କଲେ ଗ୍ରାମବାସୀ

ଗାଁ ମଝିରେ ଠିଆ ହେଲେ ଗୋଟିଏ ପଟେ ସେମିଳିଗୁଡାର ବ୍ୟସ୍ତ ଜାତୀୟ ରାଜପଥରେ ଯାଉଥିବା ଗାଡିର କର୍କଶ ଶବ୍ଦ ଶୁଭିଥାଏ ତ ଅପରପଟେ ଅଦୂରରେ ନାଲକୋର ଚିମିନିରୁ ଆକାଶକୁ ଧୂସର ରଙ୍ଗରେ ଭରି ଦେଉଥିବା ଧୂଆଁ ଦେଖାଯାଏ । ସେମିଳିଗୁଡା ସହରର ଅନତି ଦୂରରେ ଥିବା ଲୁଙ୍ଗୁରୀ ଗ୍ରାମବାସୀ ସେମାନଙ୍କ ଗାଁରୁ ପାଖଝୋଲା ଠାରେ ଥିବା ପଞ୍ଚୟାତକୁ ରାସ୍ତା ନଥିବା ଦର୍ଶାଇ ଅନେକ ବାର ପ୍ରଶାସନର ଦ୍ଵାରସ୍ଥ ହୋଇଛନ୍ତି । କିନ୍ତୁ ବାରମ୍ବାର ଖାଲି ହାତରେ ଫେରିବା ହିଁ ସାର ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ଏହି ଗାଁ ଦେଇ କୁକୁରିଗୁଡା , ପାକଝୋଲା , ବେହେରାଗୁଡା ଓ ମିଶିଂଗୁଡା ପ୍ରଭୃତି ଗ୍ରାମକୁ ଯାଇପାରୁଥିବା ବେଳେ ଏହି ରାସ୍ତା ପ୍ରତି ନଜର ନ ଦେବା କେତେ ଦୂର ଯଥାର୍ଥ ତାକୁ ନେଇ ଗ୍ରାମବାସୀ ପ୍ରଶ୍ନ କରିଛନ୍ତି । ତେବେ ଗ୍ରାମବାସୀ ଆଉ କେତେଦିନ ବା ଅପେକ୍ଷା କରିବେ । ତେଣୁ ନିଜ ରାସ୍ତା ନିଜେ କରିବା ପାଇଁ ନିଷ୍ପତ୍ତି ନେଲେ । ପ୍ରତି ଘରୁ ସେମାନଙ୍କ ସାଧ୍ୟମତେ 100 ଟଙ୍କାରୁ ଆରମ୍ଭ କରି 500 ଟଙ୍କା ପର୍ଯ୍ୟନ୍ତ ସଂଗ୍ରହ କରି ଏକ ସାମୂହିକ ପାଣ୍ଠି ତିଆରି କଲେ । ବର୍ତ୍ତମାନ କାମ ଆରମ୍ଭ ହୋଇଯାଇଛି । ପ୍ରତ୍ୟେକ ପରିବାରରୁ ଜଣେ ଦୁଇଜଣ ଏହି କାର୍ଯ୍ୟରେ ନିଜକୁ ସ୍ଵେଚ୍ଛାକୃତ ଭାବେ ନିଯୋଜିତ କରିଛନ୍ତି । ତେବେ ଆଗକୁ ଆହୁରି ବହୁତ ବାଟ ପଡିଛି । ସରକାର ଏବେ ହେଲେ ଆଗକୁ ଆସି ରାସ୍ତା ନିର୍ମାଣରେ ସହଯୋଗ କରିବେ ବୋଲି ଗ୍ରାମବାସୀ ଆଶା ପୋଷଣ କରିଛନ୍ତି ।

ପ୍ରଶାସନର ଏପରି ଅଖଣ୍ଡ ନୀରବତା ଗ୍ରାମବାସୀଙ୍କୁ ଆଚମ୍ବିତ କରିଥିବା ବେଳେ ପଞ୍ଚାୟତ ସରପଞ୍ଚ ଠାରୁ ଆରମ୍ଭ କରି ବିଧାୟକ ଓ ସାଂସଦଙ୍କ ପର୍ଯ୍ୟନ୍ତ ଜନପ୍ରତିନିଧିଙ୍କ ଏହି ଅଞ୍ଚଳ ପ୍ରତି ଅଣଦେଖା ସେମାନଙ୍କ ମଧ୍ୟରେ ଅସନ୍ତୋଷ ଭରି ଦେଇଛି । ଜନପ୍ରତିନିଧି ଟେଲିଭିଜନ ପରଦାରେ ଓ ଖବର କାଗଜ ପୃଷ୍ଠାରେ ଦେଖା ଯାଉଥିବା ବେଳେ ଗାଁ ଦାଣ୍ଡରେ ଦର୍ଶନ ଦେଉନଥିବା ସେମାନେ ଅଭିଯୋଗ କରିଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର,ଇଟିଭି ଭାରତ

ABOUT THE AUTHOR

...view details