ଓଡିଶା

odisha

ETV Bharat / state

ଆନ୍ତର୍ଜାତୀୟ ସ୍ତରରେ କୋରାପୁଟ କଫି, ସ୍ଥାନୀୟ ବଜାରରେ ମାନ୍ଦାବସ୍ଥା - କୋରାପୁଟ କଫିର ଚାହିଦା

ସାରା ବିଶ୍ବ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା କୋରାପୁଟ କଫିର ଚାହିଦା ନିଜ ଅଞ୍ଚଳରେ ଦେଖିବାକୁ ମିଳୁନାହିଁ। ଉଚ୍ଚ ଦର ପାଇଁ ବ୍ୟବସାୟୀ ବିକ୍ରି କରିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି। ଅଧିକ ପଢ଼ନ୍ତୁ

coffee price high in koraput
ଆନ୍ତର୍ଜାତୀୟ ସ୍ତରରେ କୋରାପୁଟ କଫି, ସ୍ଥାନୀୟ ବଜାରରେ ମାନ୍ଦାବସ୍ଥା

By

Published : Oct 2, 2022, 3:36 PM IST

କୋରାପୁଟ: ସାରା ବିଶ୍ବରେ କୋରାପୁଟ କଫିର ଚାହିଦା ବଢୁଛି । ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଆଦିବାସୀଙ୍କ ପାଇଁ ପରିଚିତ ଥିବା କୋରାପୁଟ କଫି ପାଇଁ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । କୋରାପୁଟ ଜିଲ୍ଲାରେ ବେସରକାରୀ ଭାବେ 126 ଜଣ କଫି ଉଦ୍ୟୋଗୀ 896 ହେକ୍ଟର କଫି ଚାଷ କରିଥିବାବେଳେ, ସରକାରଙ୍କ ସହାୟତାରେ ଆଦିବାସୀ ଲୋକଙ୍କ ଦ୍ୱାରା 2089 ହେକ୍ଟର କଫି ଚାଷ କରାଯାଉଛି । ରାଜ୍ୟର ପ୍ରମୁଖ ସହର ତଥା ବାହାର ରାଜ୍ୟ ଓ ଆନ୍ତର୍ଜାତୀୟ ସ୍ତରରେ ଏଠାକାର କଫିର ଆଦରକୁ ବୃଦ୍ଧି କରାଯାଇପାରିଛି । କିନ୍ତୁ ଏସବୁ ସଫଳତା କେବଳ ଶୁଣିବାକୁ ମିଳୁଛି । କଫି ପାଇଁ ବିଶ୍ବ ସ୍ତରରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା କୋରାପୁଟରେ ଦେଖିବାକୁ ମିଳୁନି କଫିର ବ୍ୟବହାର ।

ଆନ୍ତର୍ଜାତୀୟ ସ୍ତରରେ କୋରାପୁଟ କଫି

ସ୍ଥାନୀୟ ଅଞ୍ଚଳର ଚା' ଦୋକାନରେ କୋରାପୁଟ କଫିର ଚାହିଦା ଦେଖିବାକୁ ମିଳୁନାହିଁ । ଯେଉଁ ଗୋଟିଏ ଦୁଇଟି ସ୍ଥାନରେ କୋରାପୁଟ କଫି ପିଇବା ପାଇଁ ମିଳୁଛି ତାର ଉଚ୍ଚ ଦରଦାମ ଫଳରେ ସାଧାରଣ ଲୋକେ କଫି ଠାରୁ ଦୂରେଇ ରହୁଛନ୍ତି । ସରକାରୀ ଭାବେ TDCC ପକ୍ଷରୁ ବିକ୍ରି ହେଉଥିବା କୋରାପୁଟ କଫିର ଦାମ ଅପେକ୍ଷାକୃତ ଭାବେ ଅଧିକ ରହୁଛି । ତେଣୁ କଫି ଗୁଣ୍ଡ ଆଣି ବିକ୍ରି କରିବା ସମ୍ଭବ ହୋଇ ପାରୁନଥିବା ବ୍ୟବସାୟୀ କହିଛନ୍ତି । ଉଚ୍ଚ ଦରଦାମ ସହିତ ଛୋଟ ପ୍ୟାକ୍ ଉପଲବ୍ଧ ହେଉନଥିବା ଯୋଗୁଁ ଖୁଜୁରା ବ୍ୟବସାୟୀଙ୍କ ଦ୍ବାରା ଏହା କିଣିବା ସମ୍ଭବପର ହୋଇପାରୁନାହିଁ । ସଂସ୍ଥା ତରଫରୁ କୋରାପୁଟ ବଜାରରେ ନିଜସ୍ବ କଫିକୁ ବିକ୍ରି କରାଇବା ପାଇଁ ଆଗ୍ରହ ଦେଖାଉନଥିବା କୁହାଯାଇଛି ।

ଏନେଇ କଫି ବ୍ୟବସାୟୀ କହିଛନ୍ତି, "କଫି ବୋର୍ଡ ଓ କୋରାପୁଟ କଫି ଡେଭେଲପମେଣ୍ଟ ଟ୍ରଷ୍ଟର ମିଳିତ ପ୍ରୟାସରେ କଫି ଚାଷକୁ ଏକ ଉଚ୍ଚତର ସ୍ଥାନରେ ପହଞ୍ଚାଇବ । କୋରାପୁଟ ଅଞ୍ଚଳରେ କଫି ଦାନାର ବିକ୍ରୟ ବାର୍ଷିକ ୧୨ କୋଟି ଟଙ୍କାରୁ ଉର୍ଦ୍ଧ୍ବ ହେଉଥିବାବେଳେ, ସରକାରୀ ପ୍ରୋତ୍ସାହନ ଓ ସ୍ଥାନୀୟ କଫି ଦୋକାନୀଙ୍କୁ ରିହାତି ଦରରେ କୋରାପୁଟ କଫି ଗୁଣ୍ଡ ଦିଆଯାଇ ପାରିଲେ ରାଜ୍ୟ ତଥା ଦେଶବିଦେଶରେ ଉତ୍ତମ ବଜାର ସୃଷ୍ଟି କରିଥିବା କୋରାପୁଟ କଫି ସ୍ଥାନୀୟ ଅଞ୍ଚଳରେ ମଧ୍ୟ ଆଦୃତ ହୋଇପାରନ୍ତା ।"

ଏହା ମଧ୍ୟ ପଢ଼ନ୍ତୁ:କୋଟିଆରେ ଆନ୍ଧ୍ର କରିବ ହାଇଡ୍ରୋ ପାୱାର ପ୍ରୋଜେକ୍ଟ ! ବୁଡିଯିବ ଓଡିଶା ଗାଁ

ଓଡ଼ିଶାର କୋରାପୁଟରେ କଫି ଚାଷ ପାଇଁ ଅନୁକୂଳ ଜଳବାୟୁ ରହିଥିବା ଯୋଗୁଁ ଏଠାରେ ୧୯୭୧ ମସିହାରେ ଜିଲ୍ଲା ପ୍ରଶାସନ ଆନୁକୁଲ୍ୟରେ କଫି ଚାଷ ଆରମ୍ଭ କରାଯାଇଥିଲା । 50 ବର୍ଷ ମଧ୍ୟରେ କୋରାପୁଟ ଜିଲ୍ଲାର ତିନି ହଜାର ହେକ୍ଟରରୁ ଉର୍ଦ୍ଧ୍ବ ଜମିରେ କଫି ଚାଷ କରାଯାଉଛି । ଜିଲ୍ଲାରେ ଅନ୍ୟୁନ 3 ହଜାର କ୍ଷୁଦ୍ର ଚାଷୀ ତଥା ଶତାଧିକ କଫି ଉଦ୍ୟୋଗୀ ଏହି ଚାଷ କରି ଲାଭାନ୍ଵିତ ହେଉଛନ୍ତି । କଫି ବଗିଚାରେ ପାଞ୍ଚ ହଜାରରୁ ଉର୍ଦ୍ଧ୍ୱ ଦିନ ମଜୁରିଆ ବର୍ଷ ତମାମ କାମ ପାଇଥାନ୍ତି । କଫି ଚାଷର ସମ୍ଭାବନା ଓ ଆଦିବାସୀ ବହୁଳ ଅଞ୍ଚଳରେ ଅର୍ଥନୈତିକ ବ୍ୟବସ୍ଥାରେ ଉନ୍ନତି ଆଣିବା ଦିଗରେ କଫିର ଯୋଗଦାନକୁ ଉପଲବ୍ଧି କରି ରାଜ୍ୟରେ କଫିକୁ ଦିଆଯାଇଥିବା ସ୍ବତନ୍ତ୍ର ମାନ୍ୟତା ଦିଆଯାଇଛି ।

ଇଟିଭି ଭାରତ, କୋରାପୁଟ

ABOUT THE AUTHOR

...view details