କୋରାପୁଟ: ଲମତାପୁଟ ବ୍ଲକର ବାଲେଲ ପଞ୍ଚାୟତ ଅନ୍ତର୍ଗତ ଲୁଗୁମ ଓ ଚିଲିବା ମଧ୍ୟବର୍ତ୍ତୀ ଲାଡା ନିକଟରେ ଆଜି(ବୁଧବାର) ଅପରାହ୍ନରେ ସ୍ଥାନୀୟ ବାସିନ୍ଦା ଏକ ବିସ୍ଫୋରଣ ହେବାର ଶବ୍ଦ ଶୁଣିଥିଲେ। ଏହାପରେ ପୋଲ ଧ୍ବଂସ ହେବାର ଗୁଜବ ଶୁଣାଯାଇଥିଲା । ଏହାପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି । ତେବେ ଏହି ଖବର ପାଇଲା ମାତ୍ରେ ବିଏସଏଫ ପୋଲର ଦୁଇ କିଲୋମିଟର ଦୂରରୁ ସମ୍ପୂର୍ଣ୍ଣ ଅଞ୍ଚଳକୁ ସିଲ କରି ଦେଇଛି । ଏହାସହ ଆଖପାଖ ଅଞ୍ଚଳରେ ଲ୍ୟାଣ୍ଡମାଇନ ଥିବା ସମ୍ଭାବନାକୁ ଏଡାଇ ଦେଇ ନପାରି ଅତି ସତର୍କତାର ସହ ଆଗକୁ ବଢୁଥିବା ସୂଚନା ମିଳିଛି ।
ତେବେ ପରବର୍ତ୍ତୀ ପର୍ଯ୍ୟାୟରେ ପୋଲର କିଛି ହୋଇ ନଥିବା ଜଣାପଡିଛି । ବିସ୍ଫୋରଣର କାରଣ ଜାଣିବାରେ ବିଏସଏଫର ଯବାନ ଲାଗି ପଡିଛନ୍ତି । କିନ୍ତୁ ଅନ୍ଧକାର ହୋଇଯାଇଥିବା ଯୋଗୁଁ ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ଏହି ଅଞ୍ଚଳକୁ ସାଧାରଣ ଲୋକଙ୍କ ପ୍ରବେଶକୁ ବାରଣ କରାଯାଇଛି ବୋଲି ଜଣାପଡିଛି । ଏଥି ସହିତ ଖିନମୁଗ ନିକଟ ଲୁହା ପୋଲରେ ଲ୍ୟାଣ୍ଡମାଇନ ଖଞ୍ଜାଯାଇଥିବା ସନ୍ଦେହରେ ଜଲାପୁଟ ଓ ସଗର ମଧ୍ୟରେ ରାସ୍ତାକୁ ମଧ୍ୟ ବିଏସଏଫ ସିଲ କରିଦେଇଛି ।