କୋରାପୁଟ: ପିଲାଟି ବେଳୁ ଖେଳପ୍ରତି ଶ୍ରଦ୍ଧା । ଖେଳ ସହିତ ପାଠ ପଢିବା ପାଇଁ ସମୟର ସମନ୍ବୟ ପ୍ରତିଷ୍ଠା କରିବାର ଦକ୍ଷତା ଜୟପୁରର ଝିଅ ରିତୁ ସିଂଙ୍କୁ ଆଜି ଓଡିଶା ପ୍ରଶାସନିକ ସେବାରେ ଯୋଗ ଦେବା ପାଇଁ ସହାୟକ ହୋଇଛି ।
ରାଜ୍ୟ ମହିଳା କ୍ରିକେଟ ଆକାଶରେ ଉଜ୍ଜ୍ବଳ ତାରକା ଓ ସଫଳତାର ସହ ପୋଲିସ ବିଭାଗରେ କର୍ତ୍ତବ୍ୟ ସମ୍ପାଦନ କରିବା ପରେ ଏବେ ଏହି ନୂତନ ସଫଳତା ତାଙ୍କୁ ଏକ ନୂତନ ଉତ୍ସାହ ପ୍ରଦାନ କରିଛି ବୋଲି ସୁଶ୍ରୀ ସିଂ ମତ ରଖିଛନ୍ତି ।
ଟପ୍ପର ରିତୁ ସିଂଙ୍କ ମୁହଁରୁ ସଫଳତାର କାହାଣୀ ବାପା ରାଜାରାମ ସିଂ ନିଜକୁ ଏକ ସାଧାରଣ ଟ୍ରକ ମେକାନିକ ଭାବେ ସଙ୍କୁଚିତ ନକରି ରିତୁର ଖେଳାଳି ହେବାର ସ୍ବପ୍ନକୁ ସାକାର କରିବା ପାଇଁ ସଦା ସର୍ବଦା ଆଗେଇ ଆସିଥିଲେ । ଫଳସ୍ବରୂପ ଆଜି ନିଜକୁ ରିତୁର ବାପା ବୋଲି ପରିଚୟ ଦେବାରେ ଗର୍ବ ଅନୁଭବ କରୁଥିବା ସେ ପ୍ରକାଶ କରିଛନ୍ତି । ମା' ରଞ୍ଜୁ ଦେବୀ ରିତୁଙ୍କ ସଫଳତା ଉପରେ ଦୃଢ ବିଶ୍ବାସ ରଖି ପ୍ରତି ମୁହୂର୍ତ୍ତରେ ପିଲାଟିବେଳୁ ତାଙ୍କୁ ପ୍ରୋତ୍ସାହନ ଯୋଗାଇ ଆସିଥିବା ବେଳେ ରିତୁଙ୍କ ସାନ ଭଉଣୀ ନିଜ ନାନୀଙ୍କୁ ପ୍ରେରଣାର ଉତ୍ସ ଭାବେ ଦେଖୁଛନ୍ତି । କୋରାପୁଟକୁ ନେଇ ଗର୍ବିତ ରିତୁ କୋରାପୁଟ ଅଞ୍ଚଳବାସୀଙ୍କୁ ସେବା ଯୋଗାଇବାରେ ବ୍ରତୀ ହେବାର ସଂକଳ୍ପକୁ ଦୋହରାଇଛନ୍ତି ।
କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ