କୋରାପୁଟ: ବିବାଦୀୟ କୋଟିଆ ପଞ୍ଚାୟତର 21 ଟି ଗ୍ରାମକୁ ନେଇ ଓଡିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ଚାଲିଥିବା ଛକାପଞ୍ଝା ମଧ୍ୟରେ ଲୋକଙ୍କୁ ନିଜ ଆଡକୁ ଆକର୍ଷିତ କରିବା ପାଇଁ ଓଡିଶା ସରକାରଙ୍କ ସମସ୍ତ ପ୍ରୟାସକୁ ଲାଗିଛି ଶକ୍ତ ଝଟକା । ମଙ୍ଗଳବାର ପୋଲିସର କଥିତ ଜୁଲମକୁ ବିରୋଧ କରି କୋଟିଆ ପଞ୍ଚାୟତର ମାତଲାମ ସମେତ ଅନ୍ୟାନ୍ୟ ଗାଁର ଶତାଧିକ ଗ୍ରାମବାସୀ । କୋରାପୁଟ ଜିଲ୍ଲାପାଳଙ୍କୁ ଭେଟି ଗ୍ରାମବାସୀଙ୍କୁ ନ୍ୟାୟ ନ ମିଳିଲେ ଓଡ଼ିଶାର ସମସ୍ତ ପ୍ରଚେଷ୍ଟାକୁ ପଛରେ ପକାଇ ଆନ୍ଧ୍ରମୁହାଁ ହେବା ସହ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଜଣାଇଛନ୍ତି ।
ମାଓବାଦୀଙ୍କୁ ସମର୍ଥନ କରି ସେମାନଙ୍କୁ ଖାଇବା ପିଇବା ଯୋଗାଉଥିବା ଅଭିଯୋଗ ଆଣି ଚଳିତ ମାସ 11 ତାରିଖରେ ତାକୁ ସୁନାବେଡ଼ାରୁ କୋରାପୁଟକୁ ଉଠାଇ ଆଣି ପୋଲିସ ବହୁତ ମାଡ଼ ମାରିଥିବାର ସଙ୍ଗୀନ ଅଭିଯୋଗ ଆଣିଛି ମାତଲାମର ବେସୁ ନାମକ ଏକ ଯୁବକ । ବେସୁର କହିବାନୁଯାୟୀ, କୋରାପୁଟ ପୋଲିସ କାର୍ଯ୍ୟାଳୟର ଏକ କୋଠରୀରେ ଆରକ୍ଷୀ ଅଧିକ୍ଷକଙ୍କ ଦ୍ବାରା ପଚରାଉଚରା ସରିବା ପରେ ପୋଲିସ ତାକୁ ମାରିବା ଆରମ୍ଭ କରିଥଲା ଓ ଦୀର୍ଘ ସମୟ ପର୍ଯ୍ୟନ୍ତ ସେ ମାଓବାଦୀଙ୍କ ସମ୍ପର୍କରେ ଯାହା ଯାହା ଜାଣିଛି ତାହା କହିବା ପାଇଁ ଅଶ୍ଳୀଳ ଭାଷାରେ ଗାଳି କରି ଚାପ ପ୍ରୟୋଗ କରୁଥିବା ସେ ସାମ୍ବାଦିକଙ୍କୁ ଜଣାଇଛି ।