କୋରାପୁଟ: ଓଡିଶା ଓ ଆନ୍ଧ୍ର ସୀମାନ୍ତରେ ଥିବା ଓଡ଼ିଶାର କୋଟିଆ ପଞ୍ଚାୟତ ଅନ୍ତର୍ଗତ ଫାଟୁସିନେରୀରେ ସରିଯାଇଛି ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ। ନିର୍ବାଚନ ଫଳାଫଳ ଆସିଥିବା ବେଳେ ଆନ୍ଧ୍ରର ଜଣେ ପ୍ରାର୍ଥୀ ବିଜୟ ଲାଭ କରିଛନ୍ତି। ଏହି ପଞ୍ଚାୟତ ନିର୍ବାଚନକୁ ନେଇ ଉଭୟ ରାଜ୍ୟରେ ତୁମ୍ବି ତୋଫାନ ସୃଷ୍ଟି ହୋଇଛି। ଏହାସହ ପଟ୍ଟାଙ୍ଗି ପଞ୍ଚାୟତ ଅନ୍ତର୍ଗତ ଓଡ଼ିଶାର ମାନ୍ୟତାପ୍ରାପ୍ତ ପର୍ଯ୍ୟଟନ କ୍ଷେତ୍ର ଗଲିଗବଦରରୁ ମଧ୍ୟ ଆନ୍ଧ୍ରପ୍ରଦେଶ ଭୋଟ ସାଉଁଟି ନେବାରେ ସଫଳ ହୋଇଥିବା ଜଣାପଡିଛି।
ଆଜି ଏହି ଖବର ଜଣାପଡିବା ପରେ ଗଲିଗବଦର ଗାଁକୁ ଯାଇଥିବା ପଟ୍ଟାଙ୍ଗି ତହସିଲଦାର ହରିପଦ ମଣ୍ଡଳ କ୍ୟାମେରା ସାମ୍ନାରେ ମୁହଁ ଖୋଲିନଥିଲେ। ହେଲେ ଅନୌପଚାରିକ ଭାବେ ସାମ୍ବାଦିକଙ୍କ ସହ କଥାବାର୍ତ୍ତା କରିବା ସମୟରେ ଗଲିଗବଦର ଗାଁ ର ପ୍ରାୟ 70 ଜଣ ବ୍ୟକ୍ତି ଶୁକ୍ରବାର ରାତାରାତି ଓଡିଶା ପାର ହୋଇ ଶନିବାର ଦିନ ସାରିକି ପଞ୍ଚାୟତରେ ଭୋଟ ଦେଇଥିବା ସେ ଜଣାଇଛନ୍ତି ।