କୋରାପୁଟ: କୋଟିଆକୁ ନେଇ ବିବାଦ ଥମିବାର ନା ନେଉ ନାହିଁ । କୋଟିଆକୁ ନିଜ କବଜାରେ ନେବା ପାଇଁ ଉଭୟ ଆନ୍ଧ୍ର ଓ ଓଡିଶା ଲୋକଙ୍କ ନିକଟତର ହେବା ପାଇଁ ଚେଷ୍ଟା ଜାରି ରଖିଛନ୍ତି । ଗୋଟିଏ ପଟେ କୋରାପୁଟ ଜିଲ୍ଲା ପ୍ରଶାସନ ଲୋକଙ୍କ ନିକଟକୁ ପହଞ୍ଚି ସେବା ପହଞ୍ଚାଉଥିବାବେଳ ଅନ୍ୟପଟେ ଆନ୍ଧ୍ର ମଧ୍ୟ କୋଟିଆବାସୀଙ୍କୁ ଆକର୍ଷିତ କଲା ଭଳି କାର୍ଯ୍ୟକ୍ରମ କରୁଛି ।
ସାରା ଦେଶରେ କୋରୋନା ଟିକାକରଣର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଥିବାବେଳେ ସୀମାନ୍ତ କୋଟିଆ ପଞ୍ଚାୟତରେ ମଧ୍ୟ କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ଟୀକାକରଣ ପ୍ରକ୍ରିୟା ଆରମ୍ଭ କରାଯାଉଛି । କୋଟିଆ ପଞ୍ଚାୟତରେ ଓଡିଶା ଟୀକା ପ୍ରଦାନ କରୁଥିବାବେଳେ ଆନ୍ଧ୍ର ପ୍ରଦାନ କରୁଛି ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା । ଓଡିଶା ତୁଳନାରେ ଆନ୍ଧ୍ରର ଭତ୍ତା ଓ ଅନ୍ୟାନ୍ୟ ସେବାର ପରିମାଣ ଅଧିକ ହୋଇଥିବାରୁ କୋଟିଆବାସୀ ପ୍ରଲୋଭିତ ହୋଇ ଆନ୍ଧ୍ର ଶିକାର ହେଉଛନ୍ତି । ଓଡିଶାରେ ବାର୍ଦ୍ଧକ୍ୟ ଭତ୍ତା 500 ଟଙ୍କା ପ୍ରଦାନ କରାଯାଉଥିବାବେଳେ ଆନ୍ଧ୍ରରେ 2500 ଟଙ୍କା ପ୍ରଦାନ କରାଯାଉଛି । ଯାହା କୋଟିଆବାସୀ ଆନ୍ଧ୍ର ପ୍ରତି ଆକର୍ଷିତ ହେବା ମୁଖ୍ୟ କାରଣ ପାଲଟିଛି । କୋଟିଆ ପଞ୍ଚାୟତର ଫାଟୁସିନେରୀ ଓ ଫଗୁଣସିନେରୀ, ତଳଗଞ୍ଜେଇପଦର ଭଳି ଅଞ୍ଚଳରେ ଆନ୍ଧ୍ର ପ୍ରଶାସନ ଲୋକଙ୍କୁ ରାସ୍ତାଘାଟ ସହ ଶିକ୍ଷା,ସ୍ବାସ୍ଥ୍ୟସେବା,ବିଦ୍ୟୁତ ଯୋଗାଇଦେଇଛି । ସେହିପରି ଓଡିଶା ପ୍ରଶାସନ ଲୋକଙ୍କ ନିକଟକୁ ପହଞ୍ଚି ଜାତିଗତ ପ୍ରମାଣ ପତ୍ର ବଣ୍ଟନ ସହ ସ୍ବାସ୍ଥ୍ୟସେବା ପ୍ରଦାନ କରାଯାଉଛି ।