କୋରାପୁଟ: କୋଟିଆରେ ଆନ୍ଧ୍ରପ୍ରଦେଶର ରାଜନୈତିକ ନେତାଙ୍କ ପ୍ରବେଶ । ନିକଟରେ କୋରାପୁଟ ଜିଲ୍ଲାର କୋଟିଆ ଅଞ୍ଚଳରେ ଆନ୍ଧ୍ରପ୍ରଦେଶର ରାଜନୈତିକ ନେତା ପ୍ରବେଶ କରି ଲୋକଙ୍କୁ ଭେଟିଛନ୍ତି ଏବଂ ବିଭିନ୍ନ ଅଞ୍ଚଳ ବୁଲି ତେଲୁଗୁ ତଥା ଭାଷାଭିତ୍ତିକ ଭେଦ ଭାବ ସୃଷ୍ଟି କରି ଆଞ୍ଚଳିକ ବୈଷମ୍ୟତା ସୃଷ୍ଟି କରିବା ପାଇଁ ଚେଷ୍ଟା କରିଛନ୍ତି ।
ଆନ୍ଧ୍ରପ୍ରଦେଶର ଲୋକସତ୍ତା ପାର୍ଟିର ରାଜ୍ୟ ସଭାପତି ଭିସେଟ୍ଟୀ ବାଵଜି ଓଡ଼ିଶାର କୋଟିଆ ପଞ୍ଚାୟତର ତଳ ଗଞ୍ଜେଇପଦର , ଉପର ଗଞ୍ଜେଇପଦର , କୋଟିଆ , ତଳସେମ୍ବୀ , ଉପର ସେମ୍ବି ଓ ନେରେଡିବାଲାସା ଗସ୍ତ କରି ଓଡିଶା ଉପରେ ବର୍ଷିଛନ୍ତି । ଏହା ପରେ ରବିବାର ଦିନ ସେ ଓ ତାଙ୍କ ସମର୍ଥକ ମାନେ ଆନ୍ଧ୍ରପ୍ରଦେଶର ବିଜୟନଗର ଜିଲ୍ଲା ପାର୍ବତିପୁରମ ଆଇଟିଡିଏ ପ୍ରକଳ୍ପ ଅଧିକାରୀଙ୍କୁ ଭେଟି ଆସନ୍ତା ସ୍ବାଧୀନତା ଦିବସ ପାଳନ ପୂର୍ବରୁ କୋଟିଆ ଅଞ୍ଚଳର ସମସ୍ତ ଗାଁରେ ତେଲୁଗୁରେ ଫଳକ ଲଗାଇବା ପାଇଁ ପ୍ରସ୍ତାବ ଦେଇଛନ୍ତି ।
ଆନ୍ଧ୍ରପ୍ରଦେଶର ଗଣମାଧ୍ୟମରେ ପ୍ରଚାରିତ ଏହି ଖବର ସମ୍ପର୍କରେ ଜାଣିବା ପରେ କୋରାପୁଟ ଜିଲ୍ଲାରେ ଅସନ୍ତୋଷ ଦେଖାଦେଇଛି । ତେବେ ଏପରି କୌଣସି ପ୍ରସ୍ତାବ ସମ୍ପର୍କରେ ଆନ୍ଧ୍ର ସରକାରଙ୍କ ଠାରୁ ପତ୍ର ପାଇନଥିବା କିମ୍ବା ଏପରି କୌଣସି ସମ୍ଭାବନା ସମ୍ପର୍କରେ ଅବଗତ ନଥିବା କୋରାପୁଟ ଜିଲ୍ଲାପାଳ ଅବଦଲ ଅକ୍ତର ସ୍ପଷ୍ଟ କରିଛନ୍ତି । କୋଟିଆର ସମସ୍ତ 21 ଟି ଗ୍ରାମରେ କୋରାପୁଟ ଜିଲ୍ଲା ପ୍ରଶାସନ ଉନ୍ନତିମୂଳକ କାର୍ଯ୍ୟ ଅବ୍ୟାହତ ରଖିଛି ଓ ସୀମାର ସୁରକ୍ଷା କରିବା ଦିଗରେ ଓଡିଶା ସରକାର ସମର୍ଥ ଥିବା ଜିଲ୍ଲାପାଳ ଜଣାଇଛନ୍ତି ।