କୋରାପୁଟ:କୋଟିଆ ଉପରେ ପୁଣି ପଡୋଶୀ ଆନ୍ଧ୍ରର ଆଖି । ଏଥର କୋଟିଆ ପଞ୍ଚାୟତରେ ନିର୍ବାଚନ କରୁଛି ଆନ୍ଧ୍ର । ଜାନୁଆରୀ 31 ତାରିଖରେ ଆନ୍ଧ୍ରପ୍ରଦେଶର ସାଲୁର ମଣ୍ଡଳମ ଅନ୍ତର୍ଗତ 9ଟି ପଞ୍ଚାୟତରେ ନିର୍ବାଚନ କରିବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଜିଲ୍ଲାର କୋଟିଆ ପଞ୍ଚାୟତରେ ଓଡିଶା ସରକାରଙ୍କ ନିର୍ବାଚନରେ ସରପଞ୍ଚ ନିର୍ବାଚିତ ହେବା ସତ୍ତ୍ବେ 3ଟି ଗାଁ ଆନ୍ଧ୍ର ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ତେବେ ରାଜ୍ୟ ସରକାର ଏଥିପ୍ରତି ଗୁରୁତ୍ବ ଦେଇନଥିବା ଗବେଷକ ସୁଧାକର ପଟ୍ଟନାୟକ ଅଭିଯୋଗ କରିଛନ୍ତି ।
ପ୍ରତିଥର ଭଳି ଏବର୍ଷ ମଧ୍ୟ ଆନ୍ଧ୍ର ସରକାରଙ୍କ ତରଫରୁ ପଞ୍ଚାୟତ ନିର୍ବାଚନ ପାଇଁ କୋରାପୁଟ ଜିଲ୍ଲାର କୋଟିଆ ପଞ୍ଚାୟତରେ ବିଗୁଲ ବାଜିଛି । ଏହି ପଞ୍ଚାୟତର 3ଟି ଗାଁ ତଳଗଂଜେଇପଦର, ଫାଟୁସିନେରୀ, ଫଗୁଣ ସିନେରୀରେ ନିର୍ବାଚନ ହେଉଥିବା ଯୋଗୁଁ ଜିଲ୍ଲାରେ ଆଲୋଡନ ସୃଷ୍ଟି ହୋଇଛି । ପ୍ରତିଥର ଏହି ନିର୍ବାଚନରେ ପ୍ରତିଦ୍ବନ୍ଦୀ ଅଭାବରୁ ନିର୍ଦ୍ବନ୍ଦରେ ଜଣେ ନିର୍ବାଚିତ ହେଉଥିଲେ । କିନ୍ତୁ ଏଥର ଏକରୁ ଅଧିକ ଦଳ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିବା ଯୋଗୁଁ ଏହି ଗାଁ ଗୁଡିକରେ ପ୍ରତ୍ୟକ୍ଷ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି ।
ଅନେକ ବର୍ଷ ଧରି ଏଠାରେ ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ ହୋଇଆସୁଥିଲେ ମଧ୍ୟ ଓଡିଶା ସରକାର ଏହାକୁ ଗୁରୁତ୍ବ ଦେଇନଥିବା ଯୋଗୁଁ ଏହି ଅଞ୍ଚଳରେ ଆନ୍ଧ୍ର ସରକାର ବିଭିନ୍ନ ସେବା ଯୋଗାଇବା ସହ ନିର୍ବାଚନ ପ୍ରକ୍ରିୟାକୁ ଖୋଲାଖୋଲି ଅନୁଷ୍ଠିତ କରୁଛନ୍ତି ବୋଲି ଜିଲ୍ଲାର ପୂର୍ବତନ ଜିଲ୍ଲାପାଳ ଗଦାଧର ପରିଡା ମତ ରଖିଛନ୍ତି । କୋଟିଆ ପଞ୍ଚାୟତର ତଳଗଂଜେଇପଦରର ଲୋକେ ପ୍ରାର୍ଥୀ ପ୍ରାର୍ଥୀପତ୍ର ଦାଖଲ କରିବା ଆନ୍ଧ୍ର ସରକାରଙ୍କୁ ଆହୁରି ଅଧିକ ପ୍ରୋତ୍ସାହନ ଯୋଗାଇଛି ।