କୋରାପୁଟ: ହାତ କୁଟା ଗରମ ମସଲା ପାଇଁ ବେଶ ଖ୍ୟାତି ଅର୍ଜନ କରିଥିଲେ କୋରାପୁଟ ବ୍ଲକ ଅନ୍ତର୍ଗତ ନିଘାମାନିଗୁଡାର ମା ଗାଙ୍ଗେଶ୍ଵରୀ ମହିଳା ଏସଏଚଜି ଗ୍ରୁପ । ଏବେ ପୁଣି ଚାରା ରୋପଣ କରି ଚର୍ଚ୍ଚାକୁ ଆସିଛନ୍ତି । ଏହି ଗ୍ରୁପରେ ଅଛନ୍ତି ୧୦ ଜଣ ମହିଳା । ହାତରେ କୋଦାଳ, କୋଡି ଧରି ପାଦରେ ପାଦ ମିଶାଇ ଆଗକୁ ଆଗେଇ ଚାଲିଛନ୍ତି ଏହି ମହିଳା ଗୋଷ୍ଠୀ । କିଏ ମାଟି ତାଡୁଛି ତ ଆଉ କିଏ ଚାରା ଲଗାଉଛି, ପୁଣି କିଏ ବଢିଯାଇଥିବା ଗଛରେ ପାଣି ଦେଉଛି ।
ମହିଳା ଗୋଷ୍ଠୀଙ୍କ ଦ୍ବାରା ପଲିହାଉସରେ ଅମୃତଭଣ୍ଡା ,ଲେମ୍ବୁ , ପତ୍ରକୋବି, ଫୁଲକୋବି ପରି ଚାରା ରୋପଣ କରାଯାଇ ବଜାରରେ ବିକ୍ରି କରାଯାଉଛି । ଏସବୁ ସମ୍ଭବ ହୋଇପାରିଛି କୋରପୁଟ ବ୍ଲକର ନିଘାମାନିଗୁଡାରେ ଥିବା ମା ଗାଙ୍ଗେଶ୍ଵରୀ ମହିଳା ଏସଏଚଜିଙ୍କ ସଦସ୍ୟଙ୍କ ଦ୍ବାରା । ଫଳରେ ଗ୍ରାମର ଅନେକ ମହିଳା ଏବେ ସ୍ବାବଲମ୍ବୀ ହୋଇପାରିଛନ୍ତି । ମହିଳା ଗୋଷ୍ଠୀଙ୍କ ଏହି ସଫଳତାକୁ ଦେଖି ଓଡିଶା ଜୀବିକା ମିଶନ, ଓଏଲଏମ ତରଫରୁ ଏକ ପଲିହାଉସ ଦିଆଯାଇ ଏଥିରେ ଚାରା ପ୍ରସ୍ତୁତ କରି ପାଖଆଖର ଚାଷୀଙ୍କୁ ଯୋଗାଇବାର ସୁଯୋଗ ସୃଷ୍ଟି କରାଯାଇଛି ।