କୋରାପୁଟ: ଖଗଦରାର ସେ ଦଶମ ପର୍ଯ୍ୟନ୍ତ ପାଠ ପଢିଥିବା ପ୍ରଥମ ଝିଅ ଓ ପ୍ରଥମ ମହିଳା ୱାର୍ଡ ମେମ୍ବର । ନାଁ ତାଙ୍କ ଲଳିତା ଖିଲ, ଗାଁରେ ସମସ୍ତଙ୍କ ପାଇଁ ଆଶାର ଆଲୋକ । କାହାକୁ ଡାକ୍ତରଖାନା ନେବାକୁ ହେବ, କାହାର ଭତ୍ତା ପଇସା ପାଇବାରେ ଅସୁବିଧା ହେଉଛି , ଗାଁରେ ଜଳାଭାବ ଦେଖା ଦେଇଛି ତ ଗାଁକୁ ରାସ୍ତାଟିଏ ନାହିଁ, ସବୁଠିକୁ ଲଳିତାଙ୍କୁ ଡାକରା । ସବୁଠି ସେ ଅଣ୍ଟାଭିଡ଼ି ଆଗକୁ ଆସିଛନ୍ତି , ନେତୃତ୍ୱ ନେଇଛନ୍ତି ଓ ଯଥା ସମ୍ଭବ ସମସ୍ୟାର ସମାଧାନ ଖୋଜିବାରେ ସହାୟକ ହୋଇଛନ୍ତି । ଏବେ ସମସ୍ତେ ତାଙ୍କରି ଆଡକୁ ଅନାଇରହିଛନ୍ତି ଜମି ପଟ୍ଟାଟିଏ ପାଇବା ପାଇଁ । ଲଳିତା ମଧ୍ୟ ଏ ଦିଗରେ ପ୍ରାଥମିକତା ଦେଇଛନ୍ତି ।
ଖଗଦରା ଗାଁରେ 23 ଟି ପରିବାର । କାହାରି ପାଖରେ ଇଞ୍ଚେ ଜମିର ପଟ୍ଟା ନାହିଁ । ସେ ସରକାରଙ୍କ ଆବାସ ଯୋଜନା ହେଉ ବା ଘର ଭାଙ୍ଗିଯିବା ପରର ପ୍ରଶାସନିକ ସହାୟତା , ସବୁଠାରୁ ମାଇଲ ମାଇଲ ଦୂରରେ କୋରାପୁଟ ବ୍ଲକର ଖଗଦରା ଗାଁ । ଗତ ତିରିଶ ବର୍ଷ ପୂର୍ବେ କୋଲାବ ଜଳଭଣ୍ଡାରରେ ବିଲୀନ ହୋଇଯାଇଥିଲା କୋରାପୁଟ ବ୍ଲକର ଏହି ଗାଁ । ତେବେ ସରକାରଙ୍କ ଥଇଥାନରେ ଅସନ୍ତୁଷ୍ଟ ପରିବାର ଭିଟାମାଟିକୁ କାମୁଡି ପଡିରହିବାକୁ ଶ୍ରେୟ ମଣିଲେ । ଜଳଭଣ୍ଡାରର ଉପରମୁଣ୍ଡକୁ ଘୁଞ୍ଚି ଆସି ପାହାଡ଼ର ପାଦଦେଶରେ ଖଗଦରା ଗାଁର ପୁନଃନିର୍ମାଣ କରିଥିଲେ ସେ ସମୟର ଗାଁ ବଡ ମାନେ । ଗାଁ ବସିଥିବା ଜାଗାର ମାଲିକ ଭୁକ୍ତା ମୂଲିଆ ଗ୍ରାମବାସୀଙ୍କୁ ତାଙ୍କ ଜାଗାରେ ବସବାସ କରିବା ପାଇଁ ମୌଖିକ ରୂପେ ଅନୁମତି ଦେଇଥିଲେ ।