କୋରାପୁଟ:ଦେଓମାଳିରେ ରହିଥିବା ଔଷଧୀୟ ବୃକ୍ଷ ଏବଂ ସେଥିପାଇଁ ଜଳବାୟୁ ଉପରେ ପଡ଼ୁଥିବା ପ୍ରଭାବ ବିଷୟରେ ଜାଣିଲେ ବିଦେଶ । ଆମେରିକାରଇଣ୍ଟର୍ନେସନାଲ ଭିଜିଟର୍ସ ଲିଡ଼ରସିପ ଟ୍ରେନିଂ ପ୍ରୋଗ୍ରାମ (ଆଇଭିଏଲଟିପି)ରେ ଯୋଗଦେଲେ କୋରାପୁଟର ଆଦିବାସୀ ଗବେଷକ ହରି ପାଙ୍ଗି । ଜଳବାୟୁ ପରିବର୍ତ୍ତନ ତଥା ଜୈବ ବିବିଧତା ବିଷୟରେ ଅନୁଷ୍ଠିତ ଆନ୍ତର୍ଜାତୀୟ ସମ୍ମିଳନୀରେ ହରି ପାଙ୍ଗି ଯୋଗ ଦେଇ ଏହି ଅଞ୍ଚଳର ପାରମ୍ପରିକ ଔଷଧୀୟ ବୃକ୍ଷ ଓ ତାର ଜଳବାୟୁ ଉପରେ ପ୍ରଭାବ ସମ୍ପର୍କରେ ଉପସ୍ଥାପନା କରିଛନ୍ତି ।
ସମଗ୍ର ଓଡ଼ିଶାରୁ ଏହି ବିଶ୍ବସ୍ତରୀୟ ସମ୍ମିଳନୀରେ ଯୋଗ ଦେବା ପାଇଁ ଚୟନ ହୋଇଥିଲେ କୋରାପୁଟର ହରି ପାଙ୍ଗି । ତେବେ ସେ ଆମେରିକାର ଇଣ୍ଟର୍ନ୍ୟାସନାଲ୍ ଭିଜିଟର୍ସ ଲିଡ଼ରସିପ ଟ୍ରେନିଂ ପ୍ରୋଗ୍ରାମରେ ଦେଓମାଳିରେ ରହିଥିବା ଔଷଧୀୟ ବୃକ୍ଷ ଏବଂ ସେଥିପାଇଁ ପଡୁଥିବା ଜଳବାୟୁର ପ୍ରଭାବ ଉପରେ ଉପସ୍ଥାପନା କରିଥିବା ନେଇ ଫୋନ ଯୋଗେ ସୂଚନା ଦେଇଛନ୍ତି ।
କୋରାପୁଟ ଜିଲ୍ଲାର ପାହାଡ଼ ପର୍ବତରେ ଓ ଜଙ୍ଗଲ ମଧ୍ୟରେ ବିଷଲ୍ୟକରଣୀ, ଗଙ୍ଗଶିଉଳି, କୋଚିଲା, ଗୁଡମାରି ଭଳି ଏହି ଅଞ୍ଚଳର ପାରମ୍ପରିକ ଔଷଧୀୟ ଗୁଳ୍ମ ଓ ଭଳିକି ଭଳି ଔଷଧୀୟ ବୃକ୍ଷ ରହିଛି । ଏଥିରେ ହରି ପାଙ୍ଗି ନିଜ ଅଞ୍ଚଳର ପାରମ୍ପରିକ ଜ୍ଞାନ କୌଶଳକୁ ଆଧାର କରି ଚିକିତ୍ସା କରିଚାଲିଛନ୍ତି । ଗାଁ ଗଣ୍ଡାରେ ଏହି ଔଷଧୀୟ ଗୁଳ୍ମ ଓ ବୃକ୍ଷର ଉପସ୍ଥିତି ହିଁ ଲୋକଙ୍କୁ ବିଭିନ୍ନ ରୋଗରୁ କିପରି ସୁରକ୍ଷା ପ୍ରଦାନ କରିଥାଏ ସେ ସମ୍ପର୍କରେ ହରି ପାଙ୍ଗି ଏହି ଅନ୍ତର୍ଜାତୀୟ ମଞ୍ଚରେ ପରିବେଶବିତ ଏବଂ ବିଶେଷଜ୍ଞଙ୍କ ସମ୍ମୁଖରେ ଉପସ୍ଥାପନ କରି ପ୍ରଶଂସିତ ହୋଇଛନ୍ତି ।