ଓଡିଶା

odisha

ETV Bharat / state

କୋରାପୁଟ ଲୋକ ମହୋତ୍ସବ ପରବ ଉଦଯାପିତ - କୋରାପୁଟ ଖବର

କୋରାପୁଟ ଲୋକ ମହୋତ୍ସବ ପରବ ଉଦଯାପିତ ହୋଇଯାଇଛି । ଶେଷ ସନ୍ଧ୍ୟାରେ ଓଡିଶୀ ଫ୍ୟୁଜନ, କାଠିନାଚ, କଲାରୀ ପାୟାଟୁ, ଶିକାରୀ ନାଚ, ଘୁଡକା ନାଚ ପ୍ରମୁଖ ଲୋକନୃତ୍ୟ ଦର୍ଶନଙ୍କ ମନ ଜିଣିଛି । ଅଧିକ ପଢନ୍ତୁ

ଲୋକ ମହୋତ୍ସବ ପରବ ଉଦଯାପିତ
ଲୋକ ମହୋତ୍ସବ ପରବ ଉଦଯାପିତ

By

Published : Dec 20, 2022, 9:43 AM IST

ପରବ ଉଦଯାପିତ

କୋରାପୁଟ: କୋରାପୁଟ ଜିଲ୍ଲା ଲୋକ ମହୋତ୍ସବ ପରବ-୨୦୨୨ ରୌପ୍ୟ ଜୟନ୍ତୀ ଗତକାଲି(ସୋମବାର) ସମାରୋହ ଉଦଯାପିତ ହୋଇଯାଇଛି । ଜିଲ୍ଲାପାଳ ତଥା ପରବ କମିଟି ଅଧ୍ୟକ୍ଷ ଅବଦଲ ଏମ୍ ଅଖତରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନି ସମାରୋହରେ ଇସ୍ପାତ ଓ ଖଣି ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି । ଏହି ଅବସରରେ ମନ୍ତ୍ରୀ ପରବର ଆଭିମୁଖ୍ୟ, ଆଦିବାସୀ କଳା ସଂସ୍କୃତି ଓ ପରମ୍ପରା ଉପରେ ଆଲୋକପାତ କରିଛନ୍ତି । ଜିଲ୍ଲାର ସାମଗ୍ରୀକ ବିକାଶ ପାଇଁ ଶିକ୍ଷାର ଆବଶ୍ୟକତା ରହିଛି । ପରବ ମାଧ୍ୟମରେ କଳା ଓ ସଂସ୍କୃତିର ପ୍ରଚାର ଓ ପ୍ରସାର ହେଉଛି ବୋଲି ଖଣି ମନ୍ତ୍ରୀ ପ୍ରକାଶ କରିଛନ୍ତି ।

ପରବର ଉଦ୍ଦେଶ୍ୟ ସାର୍ଥକ ହେଇଛି ବୋଲି କେସିସି ବ୍ୟାଙ୍କ ସଭାପତି ଇଶ୍ଵର ଚନ୍ଦ୍ର ପାଣିଗ୍ରାହୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କହିଛନ୍ତି । ଅପରପକ୍ଷେ ପରବ ନିଶ୍ଚିତ ଭାବେ ବଞ୍ଚି ରହିବ ବୋଲି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ପ୍ରକାଶ କରିଛନ୍ତି । ଏହାସହିତ ରବିବାର ଦିନ ଟ୍ରାଫିକ ବ୍ୟବସ୍ଥାରେ ଲୋକେ ଘଣ୍ଟାଘଣ୍ଟା ଧରି ଫସି ରହିଥିବା ଯୋଗୁଁ ଆୟୋଜକଙ୍କ ତରଫରୁ ସମସ୍ତ ପରବ ପ୍ରେମୀଙ୍କ ନିକଟରେ ବିଧାୟକ ମଞ୍ଚରୁ କ୍ଷମା ପ୍ରାର୍ଥନା କରିଛନ୍ତି । ଏହି ଘଟଣା ପରେ କଲେଜ ପଡିଆ ପରବ ପାଳନ ପାଇଁ ଉପଯୁକ୍ତ ସ୍ଥାନ ନୁହେଁ ବୋଲି ହୃଦବୋଧ ହୋଇଥିବା ଯୋଗୁଁ ପରବ ଉତ୍ସବ ପାଇଁ ସହର ନିକଟରେ ଏକ ସ୍ଥାୟୀ ପଡିଆ ଚୟନ କରିବା ପାଇଁ ସେ କରି ଆସୁଥିବା ଦାବିକୁ ପୁଣିଥରେ ତାରା ପ୍ରସାଦ ଦୋହରାଇଛନ୍ତି ।

ଜିଲ୍ଲାପାଳ ଏ ସଂକ୍ରାନ୍ତରେ ନିଜ ପ୍ରତିକ୍ରିୟା ଦେଇ ଆସନ୍ତା ଦିନରେ ଉପଯୁକ୍ତ ସ୍ଥାନ ନିରୂପଣ କରାଯିବ ବୋଲି ଜଣାଇଛନ୍ତି । ଏହି ଅବସରରେ ପରବ ସ୍ମରଣିକାକୁ ମୁଖ୍ୟ ଅତିଥି ଓ ଅନ୍ୟାନ୍ୟ ଅତିଥିଙ୍କ ଦ୍ବାରା ଉନ୍ମୋଚନ କରାଯାଇଛି । ଏଥିସହିତ ଅତିରିକ୍ତ ଜିଲ୍ଲାପାଳ ରାମେଶ୍ବର ପ୍ରଧାନଙ୍କ ଦ୍ବାରା ରଚିତ ଓ ନିର୍ଦ୍ଦେଶିତ ପରବ ଭିଡିଓକୁ ମୁଖ୍ୟ ଅତିଥିଙ୍କ ଦ୍ବାରା ଉନ୍ମୋଚନ କରଯାଇଛି । ମଞ୍ଚରେ ବିଭିନ୍ନ ମହିଳା ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କୁ ସେମାନଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନିତ କରାଯାଇଛି ।

ପରବର ଶେଷ ସନ୍ଧ୍ୟାରେ ପଟ୍ଟାଙ୍ଗୀ କଳାକାରମାନଙ୍କ ଦ୍ବାରା ଢେମସା ନୃତ୍ୟ ପରିବେଷଣ କରାଯାଇଛି । ଓଡିଶୀ ଫ୍ୟୁଜନ, କାଠିନାଚ, କଲାରୀ ପାୟାଟୁ, ଶିକାରୀ ନାଚ, ଘୁଡକା ନାଚ, ଲାଂଜିଆ ସୌରା ନାଚ, କାଲବେଲିଆ ନାଚ ଦର୍ଶକଙ୍କୁ ବେଶ୍ ଆନନ୍ଦିତ କରିଛି । ଏହାପରେ ପରବ ପତାକା ଓହ୍ଲାଇ ଓ ମୁଖ୍ୟ କ୍ୟାଣ୍ଡଲ ଲିଭାଇ ପରବ ୨୦୨୨ ଉଦଯାପିତ କରଯାଇଥିଲା । ଆତସବାଜି ଶବ୍ଦରେ ସରକାରୀ କଲେଜ ପଡ଼ିଆ ପ୍ରକମ୍ପିତ ହୋଇଥିଲା ।

ଇଟିଭି ଭାରତ, କୋରାପୁଟ

ABOUT THE AUTHOR

...view details