କୋରାପୁଟ:କୋଟିଆକୁ ନେଇ ସର୍ବଦା ରାଜନୀତି ସରଗରମ ରହିଛି । ସୀମା ବିବାଦକୁ ନେଇ କୋଟିଆ ସବୁବେଳେ ଚର୍ଚ୍ଚାରେ । କୋଟିଆକୁ ନେଇ ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ କେଁ ଲାଗି ରହିଛି । ଏହାରି ଭିତରେ ଆଉ ଏକ କାରଣ ପାଇଁ ଚର୍ଚ୍ଚାକୁ ଆସିଛି କୋଟିଆ କଳି । ବିଦ୍ୟାର୍ଥୀଙ୍କ ଉପରେ ଭାରି ପଡିଛି କୋଟିଆ କଳି । କୋଟିଆ ସୀମା ବିବାଦ ପାଇଁ ବିଦ୍ୟାର୍ଥୀଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇ ଯାଇଛି । କୋଟିଆ ପଞ୍ଚାୟତ ଆନ୍ଧ୍ର ସୀମାବର୍ତ୍ତୀ କୋରାପୁଟ ଜିଲ୍ଲା ଶେଷ ଗାଁ ତାଡିବାଲାସାଠାରେ ଓଡ଼ିଶା ସରକାରଙ୍କ ଦ୍ଵାରା ଆବାସିକ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା । ଏହି ସ୍କୁଲକୁ ଆନ୍ଧ୍ର ସରକାରଙ୍କ ପକ୍ଷରୁ ବିଜୁଳି ସଂଯୋଗ କରାଯାଇଥିଲା ମାତ୍ର ଏବେ କୋଟିଆ କଳି ଉପୁଜିବା ପରେ ବିଦ୍ୟାଳୟରୁ ବିଜୁଳି ସଂଯୋଗ କାଟି ଦେଇଛନ୍ତି ଆନ୍ଧ୍ର ସରକାର । ଫଳରେ ପ୍ରବଳ ଗ୍ରୀଷ୍ମ ପ୍ରବାହରେ ବିଜୁଳି ସଂଯୋଗ ନଥିବା ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି ତାଡିବାଲାସା ଆବାସିକ ବିଦ୍ୟାଳୟ ବିଦ୍ୟାର୍ଥୀ ।
ତାଡିବାଲାସାଠାରେ ଓଡ଼ିଶା ସରକାରଙ୍କ ଦ୍ଵାରା ପ୍ରତିଷ୍ଠିତ ଆବାସିକ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା । ମାତ୍ର ଏଠାରେ ଏବେ ସୂର୍ଯ୍ୟାସ୍ତ ଆସିବା ମାତ୍ର ମାଡି ଆସୁଛି ଅନ୍ଧାରର ରାଜୁତି । ସନ୍ଧ୍ୟା ସମୟରେ କେବଳ ଘଣ୍ଟେ ଦୁଇଘଣ୍ଟା ଆଲୁଅ ଦେଇ ବିଦ୍ୟାଳୟରେ ଲାଗିଥିବା ସୋଲାର ପ୍ରକଳ୍ପ ନୀରବ ହୋଇଯାଉଛି । ଫଳରେ ଏହି ଛାତ୍ରାବାସରେ ରହୁଥିବା ଶହେ ଜଣ ଛାତ୍ରଛାତ୍ରୀ ଅନ୍ଧକାରରେ ରାତ୍ରିଯାପନ କରିବାକୁ ବାଧ୍ୟ ହେଉଛନ୍ତି । ତାଡିବାଲାସା ଗ୍ରାମକୁ ଆନ୍ଧ୍ରସରକାର ବିଜୁଳି ଯୋଗାଇ ଦେଇଥିବା ବେଳେ ଓଡିଶା ସରକାରଙ୍କ ବିଜୁଳି ସଂଯୋଗ ତାର ଗାଁକୁ ପହଞ୍ଚି ପାରିନାହିଁ । ତେଣୁ ଘରେ ଆନ୍ଧ୍ର ସରକାରଙ୍କ ପ୍ରଦତ୍ତ ବିଜୁଳି ଉପଭୋଗ କରୁଥିବା ବେଳେ ପଡ଼ିଶାରେ ଥିବା ବିଦ୍ୟାଳୟଟି ଓଡିଶା ସରକାରଙ୍କ ଦ୍ଵାରା ପ୍ରତିଷ୍ଠିତ ହୋଇଥିବା ଯୋଗୁଁ ବିଦ୍ୟାଳୟକୁ ବିଜୁଳି ସଂଯୋଗ କାଟି ଦେଇଛି ଆନ୍ଧ୍ର । କୋଟିଆ ସୀମା ବିବାଦକୁ ନେଇ ବିଦ୍ୟାଳୟକୁ ବିଦ୍ୟୁତ ସଂଯୋଗ ଦେବାକୁ ପାଇଁ ରୋକଠୋକ ମନା କରି ଦେଇଛନ୍ତି ଆନ୍ଧ୍ର ସରକାର । ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମହେନ୍ଦ୍ର କୁମାର ଭତ୍ରା ।