କୋରାପୁଟ: ଜିଲ୍ଲାର କଫି, କଳାଜିରା ଧାନ, ଝାଡୁ, ସାବୁନ ଓ ହଳଦୀ ପରେ ବିରଳ ଧାନ ପରିବାରର ଏକ ସଦସ୍ୟ ଭାବେ ନୂତନ ପରିଚୟ ଆଣିବାକୁ ଯାଉଛି । ବିଶେଷ କରି କୋରାପୁଟର ଏହି କଳାବତୀ ଧାନରେ ପ୍ରାକୃତିକ ଦୁର୍ବିପାକକୁ ସହ୍ୟ କରିବାର ଦକ୍ଷତା ଅନ୍ୟାନ୍ୟ ଧାନ ଅପେକ୍ଷା ଢେର୍ ଅଧିକ । ଏଥି ସହିତ ଏହି ଧାନର ବିଭିନ୍ନ ଔଷଧୀୟ ଗୁଣ ଖାଉଟିଙ୍କ ମଧ୍ୟରେ ଏହି ଧାନ ପ୍ରତି ନୂତନ ଆକର୍ଷଣ ସୃଷ୍ଟି କରିଛି ବୋଲି ଜୈବିକ ଶ୍ରୀକୃଷକ ଉତ୍ପାଦନ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ସୁରେନ୍ଦ୍ର ମସ୍ତି ଜଣାଇଛନ୍ତି ।
ନାବାର୍ଡ ସହଯୋଗରେ ଜୈବିକ ଶ୍ରୀକୃଷକ ଉତ୍ପାଦନ କମ୍ପାନୀ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ କଳାଜିରା, କଳା ଭାତ, କଳା ମଲ୍ଲି ଓ କଳା ବତୀ ଭଳି ପାରମ୍ପରିକ ଧାନର ପ୍ରଚାର, ପ୍ରସାର ଓ ତୃଣମୂଳ ସ୍ତରରେ ଉତ୍ପତ୍ତି ବୃଦ୍ଧି କରିବା ପାଇଁ କାର୍ଯ୍ୟ କରିଆସୁଛନ୍ତି । ଏହି ପରିପ୍ରେକ୍ଷୀରେ 60 କ୍ୱିଣ୍ଟାଲ କଳାବତୀ ଧାନ ବିହନ ଆସାମ ସ୍ଥିତ କୃଷି ଗବେଷଣା କେନ୍ଦ୍ରକୁ ଏହାର ଉତ୍ପତ୍ତିର ଇତିହାସ ଜାଣିବା ପାଇଁ ପଠାଯାଇଛି । କଳାଜିରା , କଳାମଲ୍ଲି ଓ କଳାଭାତ ପ୍ରଭୃତି ଧାନର ଉତ୍ପତ୍ତି ସ୍ଥଳ ଆସାମ ତଥା ଅନ୍ୟାନ୍ୟ ପୂର୍ବାଞ୍ଚଳ ରାଜ୍ୟରେ ଥିବା ବେଳେ କଳା ଧାନର ଏହି ପରିବାରରେ ଥିବା କଳାବତୀର ଉତ୍ପତ୍ତି ସ୍ଥଳୀ କୋରାପୁଟ ଅଞ୍ଚଳରେ କୁହାଯାଉଛି । ଏଠାରେ ପିଢ଼ି ପରେ ପିଢ଼ି ଧରି କଳାବତୀ ଧାନ ଚାଷ କରି ଆସୁଛନ୍ତି ଚାଷୀ ।