କୋରାପୁଟ: ଆଜି ହେଉଛି ଶିଶୁ ଦିବସ । ପ୍ରତ୍ୟେକ ସରକାରୀ ଓ ବେସରକାରୀ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ସେପଟେ କୋରାପୁଟ ସେଣ୍ଟ୍ସ ସ୍କୁଲର ଛାତ୍ରଛାତ୍ରୀ ତଥା ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ନେଇ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦ୍ଵାରା ସ୍ଥାନୀୟ ରାଜୀବ ଗାନ୍ଧୀ ଶିଶୁ ଉଦ୍ୟାନରେ ନିଆରା ଢଙ୍ଗରେ ଏହି ଦିବସକୁ ପାଳନ କରାଯାଇଛି । ସ୍କୁଲ ବାହାରେ ମୁକ୍ତ ଆକାଶ ତଳେ ଛାତ୍ରଛାତ୍ରୀମାନେ ଏକାଠି ହୋଇ ଶିକ୍ଷକ ଶିକ୍ଷୟତ୍ରୀଙ୍କ ସହ ଶିଶୁ ଦିବସର ଆନନ୍ଦ ନେଇଛନ୍ତି ।
ଶିଶୁ ଦିବସ ଅବସରରେ ପିଲାଙ୍କ ଭିତରେ ମିଳିମିଶି ଖେଳିବା ଓ ଖାଇବାର ଆନନ୍ଦ ଆଣିବା ପାଇଁ ବିଦ୍ୟାଳୟ କର୍ତ୍ତୃପକ୍ଷ ଏକ ଅଭିନବ ଉପାୟରେ ସ୍ଥାନୀୟ ରାଜୀବ ଗାନ୍ଧୀ ଶିଶୁ ଉଦ୍ୟାନରେ ଶିଶୁ ଦିବସ ପାଳନ କରିଛନ୍ତି । ଏଥିରେ ଛାତ୍ରଛାତ୍ରୀ ଓ ବିଦ୍ୟାଳୟର ଶିକ୍ଷୟତ୍ରୀ ନିଜ ଘରୁ ଆଣିଥିବା ବିଭିନ୍ନ ସୁସ୍ବାଦୁ ଜଳଖିଆ ଓ ମିଷ୍ଟାନ୍ନକୁ ପରସ୍ପର ମଧ୍ୟରେ ବାଣ୍ଟି ଖାଇଥିଲେ । ସାଙ୍ଗସାଥୀଙ୍କ ଗହଣରେ କାଟିଥିବା ଏହି କିଛି ସମୟ ଜୀବନରେ ଏକ ଅଭୁଲା ସ୍ମୃତି ହୋଇ ରହିବ ବୋଲି ଛାତ୍ରଛାତ୍ରୀମାନେ ମତ ରଖିଛନ୍ତି ।