କୋରାପୁଟ: ପ୍ରକୃତି କୋଳରେ ଲମ୍ବିଛି 173 କିମିର ଅଙ୍କାବଙ୍କା ରେଳଧାରଣା । ପାହାଡର ବୁକୁ ଚିରି ଖୋଳାଯାଇଛି 36ଟି ଟନେଲ (ସୁଡଙ୍ଗ) । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା 15ଟି ରେଳ ଷ୍ଟେସନ । ରେଳଯାତ୍ରା ବେଳେ ଚାରିପଟର ଦୃଶ୍ୟ ଅତ୍ୟନ୍ତ ମନମୁଗ୍ଧକର ଏବଂ ନୈସର୍ଗିକ । ଓଡିଶାର ଏକମାତ୍ର ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ରେଳ ରୁଟ । ହେଲେ ଓଡିଶା ସରକାରଙ୍କ ଅଣଦେଖାର ଶିକାର ।
ଏହାକୁ ଦେଖିଲେ ଲାଗେ ଯେପରି ପର୍ବତ ଶିଖରରୁ ଓହ୍ଲାଇ ଆସି ରେଳଗାଡିକୁ ଚୁମ୍ବନ ଦେଉଛି ମାଳ ମାଳ ମେଘ । ପାହାଡ ଉପରୁ କଳକଳ ନାଦରେ ବୋହିଯାଉଥିବା ଝରଣାର ଦୃଶ୍ୟ ମନରେ ଭରିଦିଏ ଅନନ୍ୟ ଆନନ୍ଦ । ପ୍ରକୃତିର ଏହି ଅପୂର୍ବ ଦୃଶ୍ୟ ଦେଖିବାକୁ ଛୁଟି ଆସନ୍ତି ଦେଶ ବିଦେଶରୁ ପର୍ଯ୍ୟଟକ । ରାଜ୍ୟ ରାଜକୋଷକୁ ଏକ ବୃହତ ଭାଗ ଦାନ କରିଥାଏ ଏହି ରେଳଯାତ୍ରା । କିନ୍ତୁ ଏଥିରେ ଯାତ୍ରା କରୁଥିବା ସମସ୍ତ ରେଳଯାତ୍ରୀଙ୍କୁ ଗୋଟିଏ ଡର । ଆଜି ଗନ୍ତବ୍ୟ ସ୍ଥଳରେ ପହଞ୍ଚିବି ତ ?