କୋରାପୁଟ: କୋରାପୁଟର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ପ୍ରଗତି ଚଳିତ ବର୍ଷର କ୍ୟୋଟୋ ବିଶ୍ୱ ଜଳ ସଂରକ୍ଷଣ ପୁରସ୍କାରରେ ସମ୍ମାନିତ ହୋଇଛି । ଆଫ୍ରିକା ମହାଦେଶର ସିନେଗଲ ଠାରେ ଆୟୋଜିତ ବିଶ୍ୱ ସ୍ତରୀୟ ସମାବେଶରେ ଯୋଗଦେଇ ପ୍ରଗତି ସ୍ବେଚ୍ଛାସେବୀ ସଂଗଠନର ସମ୍ପାଦକ ପ୍ରଭାକର ଅଧିକାରୀ ଓ ପ୍ରମୁଖ ସଦସ୍ୟ ଲୁନା ପଣ୍ଡା ବିଶ୍ୱ ନେତୃବର୍ଗଙ୍କ ଉପସ୍ଥିତିରେ ଏହି ସମ୍ମାନଜନକ ପୁରସ୍କାର ଗ୍ରହଣ କରି କୋରାପୁଟ ତଥା ଓଡ଼ିଶାକୁ ଗୌରବାନ୍ଵିତ କରିଛନ୍ତି ।
ପ୍ରତି ତିନି ବର୍ଷରେ ଥରେ ଦିଆଯାଉଥିବା ଏହି ଆନ୍ତର୍ଜାତିକ ପୁରସ୍କାର ପାଇଁ ଜଳକୁ ନେଇ ସ୍ବତନ୍ତ୍ର ଭାବେ କାର୍ଯ୍ୟ କରୁଥିବା ସଂଗଠନ ଗୁଡ଼ିକର ଜଳ ସଂରକ୍ଷଣ ଦିଗରେ ଅବଦାନକୁ ପରୀକ୍ଷା ନିରୀକ୍ଷା କରିବା ପରେ ମନୋନୀତ କରାଯାଇଛି ବୋଲି ସିନେଗଲରୁ କୋରାପୁଟ ଫେରିଆସିଥିବା ଶ୍ରୀ ଅଧିକାରୀ ଜଣାଇଛନ୍ତି ।
ପ୍ରଗତି ସଂଗଠନ ଦ୍ଵାରା ହଜାର ହଜାର ଚାଷୀଙ୍କ ସହିତ କମ୍ ଜଳ ବ୍ୟବହାର କରି କିପରି ଶ୍ରୀ ପଦ୍ଧତିରେ ଧାନ ଅମଳ କରାଯାଇପାରିବ ତଥା ଅଧା ଏକର ମଡେଲରେ କମ୍ ଜାଗା ଓ ଜଳକୁ ବ୍ୟବହାର କରି ମଧ୍ୟ ଚାଷୀ କିପରି ନିଜ ଉତ୍ପାଦନରେ ବୃଦ୍ଧି କରିପାରିବ ସେଦିଗରେ କରାଯାଇଥିବା କାର୍ଯ୍ୟକୁ ଆଧାର କରି ଏହି ଆନ୍ତର୍ଜାତିକ ପୁରସ୍କାର ଦିଆଯାଇଥିବା ସେ ପ୍ରକାଶ କରିଛନ୍ତି ।