କୋରାପୁଟ: ଆଜି ସାରା ଦେଶରେ ଦୀପାବଳିର ମାହୋଲ । ଘରେ ଘରେ ଜଳିବ ଦୀପ । ମହାଲକ୍ଷ୍ମୀଙ୍କୁ କରାଯିବ ଆରଧନା । ଏଥିସହ କାଉଁରିଆ କାଠିରେ ବଡବଡିଆଙ୍କୁ ଡକାଯିବ । ଏନେଇ ଗୁରୁବାର କୋରାପୁଟ ବଜାରରେ ଦେଖିବାକୁ ମିଳିଥିଲା ପ୍ରବଳ ଭିଡ । କିଏ ଦୀପ ଦେଉନଥିଲା ତ କିଏ ବାଛି ବାଛି କାଉଁରିଆ କାଠ । ସହରବାସୀଙ୍କ ପୂଜା ଥାଳିରେ ଯାହା ଦରକାର ଗାଁ ଗଣ୍ଡାରୁ ଆଦିବାସୀମାନେ ଗୋଟି ଗୋଟି ସାଉଁଟି ଆଣିଥିଲେ ।
କିଏ ଫୁଲ ଆଣିଦେଇଛି ତ ଆଉକିଏ ମାଟି ଦୀପ , ନୂଆ ଚାଉଳ , ଧାନ , ଚୂଡା, ଆଖୁକୁ ନେଇ ପସରା ମେଲାଇ ବସିଥିଲା । ତେବେ ଏସବୁ ଭିତରେ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିଲା କାଉଁରିଆକାଠି । ବିଡା ପରେ ବିଡା ବୋହି ନେଉଥିଲେ ସଭିଏଁ । ଏହି କାଉଁରିଆ କାଠି କେହି ନିଜ ବାଡି ବଗିଚାରେ ଲଗାଯାଇଥିବା ଗଛରୁ ସଂଗ୍ରହ କରେ ତ ଆଉ କେହି ସଂଗୃହିତ ହୋଇସାରି ସୁଖା ଯାଇଥିବା କାଠିକୁ ଚାଷୀଙ୍କଠାରୁ କିଣି ଆଣିଥିଲେ । କୋରାପୁଟ ଠାରୁ ୭୦ କିଲୋମିଟର ଦୂର ରାମଗିରିରୁ ଆସିଥିବା ଆଦିବାସୀ ଚାଷୀଙ୍କ କହିବା ଅନୁଯାଇ ଗଛକୁ କାଟିବା ପରେ ତାକୁ ବଜାରରେ ପହଞ୍ଚାଇବା ପୂର୍ବରୁ ପାଞ୍ଚ ଦିନର ପ୍ରକ୍ରିୟା ମଧ୍ୟ ଦେଇ ଗତି କରିବାକୁ ପଡେ ।