କୋରାପୁଟ: ନଭେମ୍ବର ଆରମ୍ଭରେ କୋରାପୁଟରେ ଅଳସ ଭାଙ୍ଗେ ଅଳସୀ ଫୁଲ । ସବୁଜିମା ଭରା ପାହାଡ ମଝିରେ ଅଳସୀ କ୍ଷେତର ଅପୂର୍ବ ସମ୍ଭାର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରେ । ଅଳସୀ ଯେ କେବଳ କୋରାପୁଟର ସୌନ୍ଦର୍ଯ୍ୟ ବଢାଏ ତାହା ନୁହେଁ, ଏହି କ୍ଷେତରୁ ପେଟକୁ ଦାନା ଯୋଗାଡ କରନ୍ତି ଏଠାକାର ଆଦିବାସୀ । ସାଧାରଣତଃ କୋରାପୁଟ ଆଦିବାସୀ ମାଣ୍ଡିଆ ଓ ଅଳସୀ ଚାଷରୁ ଜୀବିକା ଅର୍ଜନ କରିଥାନ୍ତି ।
୧୦ ବର୍ଷ ହେଲାଣି ଅଚଳ ପଡିଛି ଅଳସୀ ତେଲ ଘଣା ୧୦ ବର୍ଷ ପୂର୍ବେ କୋରାପୁଟ ଅଳସୀ ଚାଷୀଙ୍କୁ ସେମାନଙ୍କ ଶସ୍ୟର ଉଚିତ୍ ମୂଲ୍ୟ ଦେବା ଲକ୍ଷ୍ୟରେ କୋରାପୁଟରେ ଅଳସୀ ତେଲ ଘଣା ପ୍ରକଳ୍ପ (Nizer Oil Unit)ର ଶୁଭାରମ୍ଭ ହୋଇଥିଲା । ଆଦିବାସୀ ଏହି ଘଣାରେ ଅଳସୀରୁ ତେଲ ବାହାର କରି ଭଲ ଦୁଇ ପଇସା ରୋଜଗାର କରିପାରିବେ ବୋଲି ଲକ୍ଷ୍ୟ ରହିଥିଲା । ହେଲେ ପ୍ରଶାସନିକ ଅବହେଳାର ମୂକସାକ୍ଷୀ ଭାବେ କୋରାପୁଟ ସହରରେ ଦଶ ବର୍ଷ ହେବ ବନ୍ଦ ପଡିଛି ଅଳସୀ ତେଲ ଘଣା ପ୍ରକଳ୍ପ ।
୧୦ ବର୍ଷ ପୂର୍ବେ ତେଲ ଘଣା ପ୍ରକଳ୍ପକୁ ଶୁଭାରମ୍ଭକୁ ଦେଖି କୋରାପୁଟବାସୀ ଖୁସି ହୋଇଯାଇଥିଲେ । ହେଲେ ଅଚାନକ ପ୍ରଶାସନିକ ସ୍ତରରେ ଏହି ପ୍ରକଳ୍ପ ପ୍ରତି ଦୃଷ୍ଟୀଭଙ୍ଗୀ ବଦଳିଗଲା । ପ୍ରଶାସନିକ ଅବହେଳା ଯୋଗୁଁ ବନ୍ଦ ହୋଇଗଲା ତେଲ ଘଣା । ବେସରକାରୀ ସ୍ତରରେ ସର୍ବୋଦୟ ସମିତିରେ ଅଳସୀରୁ ତେଲ ପେଡି ଭଲ ବ୍ୟବସାୟ ହୋଇପାରୁଥିବା ବେଳେ ମିଶନ ଶକ୍ତିର ପ୍ରୋତ୍ସାହନରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ନିୟନ୍ତ୍ରିତ ଏହି ପ୍ରକଳ୍ପ ବନ୍ଦ ହୋଇଯିବା ପ୍ରଶାସନିକ ଅବହେଳାର ଉଦାହରଣ ବୋଲି କୁହାଯାଇଛି । ସେପଟେ ବର୍ଷ ବର୍ଷ ଧରି ଘଣା ବନ୍ଦ ପଡିଥିଲେ ମଧ୍ୟ ଅଳସୀ ଚାଷ ବନ୍ଦ କରିନାହାନ୍ତି ଆଦିବାସୀ । ବିନା ସରକାରୀ ପ୍ରୋତ୍ସାହନରେ ଆଦିବାସୀ ଜନସାଧାରଣ ଏହି ଚାଷ କରିଆସୁଛନ୍ତି ।
ଅଳସୀ ଦାନା, ଅଳସୀ ପିଠା ଆଦିବାସୀ ପରମ୍ପରା ସହ ଅଙ୍ଗାଅଙ୍ଗୀ ଭାବେ ଜଡିତ ଥିବାରୁ ଅଳସୀ ବିହନକୁ ପିଢି ପରେ ପଢି ସଂରକ୍ଷଣ କରନ୍ତି ଆଦିବାସୀ । ଅଳସୀ କ୍ଷେତରୁ ଦାନା ପାଇବା ଯାଏଁ ଆଦିବାସୀ କଠିନ ପରିଶ୍ରମ କରୁଥିବାବେଳେ ଏ ବର୍ଷ ଚାଷୀଙ୍କ ପାଇଁ ବୋଝ ଉପରେ ନଳିତା ବିଡା ସାଜିଛି ଅଦିନିଆ ବର୍ଷା । ଚଳିତ ବର୍ଷ ବର୍ଷା ଯୋଗୁଁ ଅଳସୀ ଉତ୍ପାଦନ ଖୁବ୍ କମ୍ ହୋଇଛି । ସେପଟେ ଯନ୍ତ୍ରପାତି ଯୋଗୁଁ ଧାନ ଓ ଗହମ ଅମଳ ସହଜସାଧ୍ୟ ହେଉଥିବାବେଳେ ଅଳସୀ ଅମଳ ପାଇଁ ସେପରି କିଛି ଯନ୍ତ୍ରପାତି ପାଇପାରୁନାହାନ୍ତି ଏହି ଆଦିବାସୀ ଜନସାଧାରଣ ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ