କୋରାପୁଟ:ପ୍ରାଚୀନ ଜୀବନଧାରା ସ୍ମୃତିକୁ ୧୯୯୨ ମସିହାରେ ପ୍ରତିଷ୍ଠିତ କରି ରଜତ ଜୟନ୍ତୀ ପାଳନ କରିଛି କୋରାପୁଟ ଆଦିବାସୀ ସଂଗ୍ରହାଳୟ । ଆଉ ତାର ସଫଳତାକୁ ଅନେକାଂଶରେ ସାଇତି ରଖିବା ସହ ପ୍ରଦର୍ଶିତ କରିବାରେ ସମର୍ଥ ହୋଇପାରିଛି ବୋଲି ସଂଗ୍ରହାଳୟର ନିର୍ଦ୍ଦେଶକ ଗଦାଧର ପରିଡା ମତ ରଖିଛନ୍ତି । ଜିଲ୍ଲାରେ ଜୈବ ବିବିଧତାରେ ଭରା କୋରାପୁଟ, ଜୟପୁର, କୁନ୍ଦୁରା ଓ ଗୁପ୍ତେଶ୍ଵର ଅଞ୍ଚଳ । ଏଠାରେ ବିଭିନ୍ନ ପ୍ରକାର ଉଦ୍ଭିଦ ଓ ପ୍ରାଣୀ ଜଗତର ବିବିଧତାକୁ ଅତି ପାଖରୁ ଦେଖି ହୁଏ ବୋଲି ପରିବେଶବିତ୍ ମିହିର ଜେନା ସୂଚନା ଦେଇଛନ୍ତି । ପ୍ରତ୍ୟେକ ସ୍ଥାନରେ ଦେଖାଯାଉଥିବା ସ୍ଵତନ୍ତ୍ର ବିବିଧତାକୁ ନେଇ ପ୍ରକୃତି ମଧ୍ୟରେ ଜୀବନ୍ତ ସଂଗ୍ରହାଳୟ ସ୍ଥାପନ କରାଯାଇପାରିବ ବୋଲି ସେ ମତ ରଖିଛନ୍ତି ।
ସରକାର ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେଲେ ଆନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ ପାଳନର ସାର୍ଥକତା ରହିପାରନ୍ତା ବୋଲି ତାଙ୍କର ମତ। କୋରାପୁଟ ଡଙ୍ଗର ସଂସ୍କୃତିର ସୁରକ୍ଷା ଦିଗରେ ଆଦିବାସୀ ସଂଗ୍ରହାଳୟର ଭୂମିକା ଅତ୍ୟନ୍ତ ରୁରୁତ୍ବପୂର୍ଣ୍ଣ । ଆଉ ଅନେକ ଆଦିବାସୀ ଅଞ୍ଚଳ ଏବେବି ଲୋକଙ୍କ ଦୃଷ୍ଟିର ଅନ୍ତରାଳେ ରହିଥିବା ଯୋଗୁଁ ଏହା ଏପର୍ଯ୍ୟନ୍ତ ଅକ୍ଷୁର୍ଣ୍ଣ ହୋଇ ପଡି ରହିଛି ।
ଏପର୍ଯ୍ୟନ୍ତ ଜିଲ୍ଲାରେ ହୋଇଥିବା କାରୁକାର୍ଯ୍ୟର ଗୁଣାତ୍ମକ ମାନବୃଦ୍ଧି କରି ଗବେଷଣା ଓ ସଂସ୍କୃତି ସଂରକ୍ଷଣ ଦିଗରେ ଏହି ଅନୁଷ୍ଠାନ କାର୍ଯ୍ୟ କରିବ ବୋଲି ସେ ସୂଚନା ପ୍ରଦାନ କରିଛନ୍ତି । ସମଗ୍ର କୋରାପୁଟ ଅଞ୍ଚଳରେ ବସବାସ କରୁଥିବା ବିଭିନ୍ନ ଆଦିବାସୀ ଜନଜାତି ସମ୍ପର୍କରେ ସମ୍ୟକ ଧାରଣା ଦେଉଥିବାବେଳେ ଏହି ସଂଗ୍ରହାଳୟକୁ ଚାଲୁ ରଖିବା ନେଇ ପରିଚାଳକଙ୍କ ପାଇଁ ଏକ ଗୁରୁ ଦାୟିତ୍ବ ପାଲଟିଛି ।